ଓଡ଼ିଶାଲାଇଭ୍ ବ୍ୟୁରୋ

ଦାନ୍ତୁରୀ ସ୍ତ୍ରୀକୁ ସ୍ୱାମୀ ଦେଲା ତିନି ତଲାକ୍। ହାଇଦ୍ରାବାଦରେ ଆଜି ଏପରି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ରୁକସାନା ବେଗମ ନାମକ ଜଣେ ମୁସଲମାନ ମହିଳାଙ୍କ ଦାନ୍ତ ଲମ୍ବା ଯୋଗୁଁ ତାଙ୍କ ସ୍ୱାମୀ ତାଙ୍କୁ ତଲାକ୍ ଦେଇଛନ୍ତି। ଯାହା ଫଳରେ ହାଇଦ୍ରାବାଦ୍ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି।

ଗତ ଜୁନ୍ ମାସ୨୭ ତାରିଖରେ ଉଭୟ ରୁକସାନା ଓ ମୁସ୍ତାଫା ପରସ୍ପରକୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ରୁକସାନାଙ୍କୁ ଯୌତୁକ ଓ ତାଙ୍କ ଅସୁନ୍ଦର ଦାନ୍ତ ପାଇଁ ମୁସ୍ତାଫାଙ୍କ ପରିବାର ଲୋକେ ଗାଳିଗୁଲଜ କରୁଥିଲେ।

ଏପରିକି କିଛିଦିନ ତଳେ ରୁକସାନାଙ୍କ ଦେହ ଖରାପ ହେବାକାରଣରୁ ତାଙ୍କ ଶ୍ୱଶୂର ଘର ଲୋକ ତାଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ। ଯାହାକୁ ନେଇ ସେ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ମୁସ୍ତାଫାଙ୍କ ପରିବାର ରୁକସାନଙ୍କୁ ଘରକୁ ନେଇଯିବେ ବୋଲି ରାଜି ହୋଇଯାଇଥିଲେ। ହେଲେ ଅକ୍ଟୋବର ୧ ତାରିଖରେ ରୁକସାନାଙ୍କ ସ୍ୱାମୀ ମୁସ୍ତାଫା ତାଙ୍କ ଘରକୁ ଆସି ରୁକସାନଙ୍କ ଆଗରେ ତିନିଥର ତଲାକ ତଲାକ ତଲାକ ବୋଲି କହିଥିଲେ।

ଏହାପରେ ରୁକସାନା ତାଙ୍କୁ ୧୨ ଅକ୍ଟୋବରରେ ଫୋନ କରିଥିଲେ। ତାଙ୍କ ସ୍ୱାମୀ ଫୋନରେ ତାଙ୍କୁ ତିନିଥର ତଲାକ୍ ବୋଲି କହିଥିଲେ। ଯାହାକୁ ନେଇ ସେ ଗତ ୨୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ୍ ତାଙ୍କ ମାମଲାକୁ ଗ୍ରହଣ କରିବାପରେ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୂର୍ବରୁ ସୁପ୍ରିମକୋର୍ଟ ମୁସଲମାନ ସଂପ୍ରଦାୟରେ ଥିବା ଏହି ଟ୍ରିପଲ ତଲାକକୁ ଉଚ୍ଛେଦ କରିସାରିଛି। ଯଦି କୌଣସି ବ୍ୟକ୍ତି ଏହି ପରମ୍ପରା ମାନେ ତେବେ ତାକୁ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment