ଓଡ଼ିଶାଲାଇଭ୍‌ ବ୍ୟୁରୋ

ଠିକ୍ ଚାଳିଶି ବର୍ଷ ତଳେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସମର ସଲିମ ସାଇମନ’ ଆଜି ବି ଏକ ମାଇଲଖୁଣ୍ଟ ହୋଇ ରହିଛି। ୧୯୭୯ରେ ଏହା ନିର୍ମିତ ହୋଇଥିଲା ଓ ସେ ବର୍ଷର ଏହି ଫିଲ୍ମଟି ଥିଲା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର। ଅକ୍ଷୟ ମହାନ୍ତି(କାଶ୍ୟପ) ଏହାର ନିର୍ଦ୍ଦେଶକ ଥିଲେ। ସେ ବର୍ଷ ଅଗଷ୍ଟ ୩୦ ତାରିଖରେ କଟକ, ବାରିପଦା ଓ ଭଦ୍ରକ ତଥା ଅନ୍ୟ ସହରରେ ଚିତ୍ରଟି ମୁକ୍ତିଲାଭ କରିଥିଲା। ଏହି ଚିତ୍ରର ସହନିର୍ଦ୍ଦେଶକ ଥିଲେ ବିଜୟ ସିଂହ ଓ ଶୈଳଜାନନ୍ଦ ନାୟକ। ଶୈଳଜାନନ୍ଦ ଏହାର ପ୍ରଯୋଜକ ବି ଥିଲେ। ସେତେବେଳେ ମାତ୍ର ୩ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚରେ ଏହା ନିର୍ମିତ ହୋଇଥିଲା। ହିନ୍ଦୀ ଚିତ୍ର ‘ଅମର ଆକବର ଆନ୍ଥୋନି’ର ଛାୟାରେ ଏହା ପ୍ରସ୍ତୁତ ହୋଇଥିଲା।

ହରିଶ ମହାପାତ୍ର, ସୁଜାତା ଆନନ୍ଦ, ଅନିତା ଦାସ, ଶୈଳଜାନନ୍ଦ ନାୟକ, ଇଲୁ ବାନାର୍ଜୀ, ଜୟା, ସୁଚିତ୍ରା, ନାରାୟଣ ପତି, ଶୈଳେଶ୍ୱର ଓ ବାଙ୍କୁ ପ୍ରମୁଖ ଏଥିରେ ଅଭିନୟ କରିଥିଲେ।

ମହମ୍ମଦ ମୁସିର ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ନିଜେ ମୁସିର ଓ ନିଜାମ ଗୀତ ଗୁଡ଼ିକୁ ଲେଖିଥିଲେ। ଏଥିରେ ମୋଟ ୫ ଟି ଗୀତ ଥିଲା। ଦୁଇ ଘଣ୍ଟା ୧୫ ମିନିଟର ଏହି ଚିତ୍ରର ଗୀତ ଓ ସଙ୍ଗୀତକୁ ଆଜି ବି ଶ୍ରୋତା ମନେ ପକାଇଥାନ୍ତି।

ସମର ସଲିମ ସାଇମନର ୪ଟି ଟ୍ରାକ ୧୯୭୮ ଡିସେମ୍ବର ମାସରେ ସାରେଗାମା ପକ୍ଷରୁ  ରିଲିଜ କରାଯାଇଥିଲା। ଏହି ଚଳଚ୍ଚିତ୍ରର ସବୁଠାରୁ ଅଧିକ ଲୋକପ୍ରିୟ ଗୀତ ଥିଲା ଶେଖର ଘୋଷ ଗାଇଥିବା ‘ହୃଦୟର ଏଇ ଶୂନ୍ୟତାକୁ’। ପ୍ରକୃତରେ ଏହି ଗୀତଟି କଟକ ଆକାଶବାଣୀ କେନ୍ଦ୍ର ପାଇଁ ପ୍ରସ୍ତୁତ ହୋଇଥିଲା ଓ ଏହା ଥିଲା ଶେଖର ଘୋଷଙ୍କ ପ୍ରଥମ ଗୀତ। ଏହି ଗୀତର ଲୋକପ୍ରିୟତା ଏତେ ଯେ ଆଜି ବି ଶ୍ରୋତାଙ୍କୁ ଏହା ଶୁଣିବାକୁ ଭଲ ଲାଗେ। ଗୀତର ଗୀତିକାର ଥିଲେ ନିଜାମ।

ଅନ୍ୟ ଏକ ଲୋକପ୍ରିୟ ଗୀତ ଥିଲା ‘ତୋର ଉଡ଼ି ଉଡ଼ି ଯାଏ କାନି।’ ଏହାକୁ ଗାଇଥିଲେ ସୁବାସ ଦାସ ଓ କନକ ମହାପାତ୍ର। ତୃତୀୟ ଗୀତ ‘ଏ ପ୍ରିୟତମା ପ୍ରିୟତମା’ର ଗାୟକ ଥିଲେ ଶେଖର ଘୋଷ, ସୁବାସ ଦାସ ଓ କୁମୁଦିନୀ ମିଶ୍ର। ଏ ପ୍ରିୟତମା ଗୀତର ଡାଇଲଗ ସହିତ ଗାୟକ ଥିଲେ ଶୈଳଜାନନ୍ଦ ନାୟକ, ସୁବାସ ଦାସ ଓ କୁମୁଦିନୀ ମିଶ୍ର। ଏହି ଚଳଚ୍ଚିତ୍ର ର ଅନ୍ୟ ଏକ ଧମାକାଦାର ଗୀତ ଥିଲା ‘ନିଅ ନିଅ ବାବୁ ଫୁଲ ଗଜରା'(ତାନସେନ ସିଂହ ଓ କୁମୁଦିନୀ ମିଶ୍ର)। ତାନସେନ ସିଂହଙ୍କ ଆଉ ଗୋଟିଏ ଗୀତ ଏପର୍ଯ୍ୟନ୍ତ ତାର ମର୍ଯ୍ୟାଦା ବଜାୟ ରଖିଛି। ସେଇଟି ହେଉଛି ‘ମୁଁ ଯେ ଏକ ପାଗଳ ଭଅଁର।’

ଚାଳିଶି ବର୍ଷ ପୂର୍ବେ ଓଡ଼ିଆ ଚଳଚ୍ଚିତ୍ର ଗୀତର ଯେଉଁ  ମାଧୁର୍ଯ୍ୟ ଥିଲା ଆଜି ତାହା ନାହିଁ। ନାହାନ୍ତି ସେହିଭଳି ଗୀତିକାର ବା ସଙ୍ଗୀତ ନିର୍ଦ୍ଦେଶକ।

Comment