ଓଡ଼ିଶାଲାଇଭ୍‌ ବ୍ୟୁରୋ

“କିସ୍‌ରେ ଭବିଷ୍ୟତର ଅଲିମ୍ପିଆନ୍‍ମାନେ ରହିଛନ୍ତି। କିସ୍‍ର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରି ଦେଶରୁ ଗୌରବ ଆଣିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‍ କିମ୍ବା ତା ପରବର୍ତ୍ତୀ ଅଲିମ୍ପିକ୍‍ରେ ବିଶେଷ କରି ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଅଲିମ୍ପିକ୍‌ରେ ଭଲ ପ୍ରଦର୍ଶନ କରିବା ଉଚିତ” କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜୁ।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ କିରେନ୍‍ ରିଜିଜୁ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସ୍‍ ବୁଲିବା ସହ କିସ୍‍ର ୨୭,୫୦୦ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କିରେନ୍‍ ରିଜିଜୁ କହିଥିଲେ, “ମୁଁ ଅନେକବାର ଓଡ଼ିଶା ଆସିଛି। ମାତ୍ର ଆଜି କିସ୍‍ ପରିଦର୍ଶନରେ ଆସି ପ୍ରକୃତ ଓଡ଼ିଶାକୁ ଦେଖିପାରିଲି। କିସ୍‍ ପରିଦର୍ଶନ କରିବା ପରେ ମୋ ମଧ୍ୟରେ ଏକ ସ୍ୱତନ୍ତ୍ର ଭାବନା ସୃଷ୍ଟି ହୋଇଛି। ଆମେ ବିଭିନ୍ନ ରାଜ୍ୟରୁ ଆସିଥିଲେ ମଧ୍ୟ ଆମର ବିଚାର ଏକ-ଆମେ ସମସ୍ତେ ହେଉଛନ୍ତି ଭାରତୀୟ। ଭାରତୀୟ ପରମ୍ପରା ଅତି ଉଚ୍ଚ କୋଟୀର। ଛାତ୍ରଛାତ୍ରୀମାନେ ଶିକ୍ଷା ସହ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବା ଉଚିତ।”

ସେ ଆହୁରି ମଧ୍ୟ କହିଥିଲେ, “ଜନଜାତି ଛାତ୍ରଛାତ୍ରୀମାନେ ଦେଶ ଗଠନ କରିବା ପାଇଁ ଆଗେଇ ଆସିବା ଉଚିତ। କିସ୍‍ରେ ଛାତ୍ରଛାତ୍ରୀଙ୍କ ମୁହଁରେ ଯେଉଁ ହସ ଦେଖାଯାଉଛି ସେହି ହସ ହେଉଛି ଭାରତର ସାମର୍ଥ୍ୟ।”

“ଅଲିମ୍ପିକ୍‌ରେ ଜନଜାତି ଛାତ୍ରଛାତ୍ରୀଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। କାରଣ ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରତିଭା ରହିଛି। ଭାରତରେ ପ୍ରତିଭାର ଅଭାବ ନାହିଁ। ଭାରତର ଗ୍ରାମାଞ୍ଚଳରେ ଏହି ସବୁ ପ୍ରତିଭାମାନେ ଲୁକ୍‍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ହେଲ ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ” କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜୁ କହିଛନ୍ତି।

ସେହିପରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରି ରିଜିଜୁ କହିଥିଲେ, “ଦୀର୍ଘ ୨୫ବର୍ଷ ଧରି ଜନଜାତିଙ୍କ ବିକାଶ ଦିଗରେ ଅଚ୍ୟୁତ ସାମନ୍ତ ନିଜକୁ ସଂପୂର୍ଣ୍ଣ ତ୍ୟାଗ କରିଥିବାରୁ ଏଭଳି ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇପାରିଛି। ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କିସ୍‍ ଅନେକ କିଛି କରୁଥିବାରୁ ଏହି ଅନୁଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ।

ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ୱତନ୍ତ୍ର ସଚିବ ବିଶାଳ ଦେବ, ଅଲିମ୍ପିଆନ୍‍ ଦୂତି ଚାନ୍ଦ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ଓ କିସ୍‍ର ସଂପାଦକ ଆର ଏନ୍‍ ଦାଶ, କିସ୍‍ର ସିଇଓ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comment