ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଜନ ସମ୍ରାଟ ଭିକାରୀ ବଳଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି।

ନାଁ ତାଙ୍କର ଭିକାରୀ ବଳ। ଓଡ଼ିଆଙ୍କର ସେ ଥିଲେ ଭାରି ପ୍ରିୟ। ଭକ୍ତି ସଙ୍ଗୀତ ଗାଇବାରେ ସେ ଥିଲେ ଜଣେ ଅନନ୍ୟ ପୁରୋଧା। ଭକ୍ତି ସଙ୍ଗୀତରେ ତାଙ୍କର ଏହି ଅବଦାନ ଯୋଗୁଁ ଗଜପତି ମହାରାଜା ତାଙ୍କୁ ଦେଇଥିଲେ ଭଜନ ସମ୍ରାଟର ଉପାଧି। ନାଁ ସିନା ଥିଲା ଭିକାରୀ। ହେଲେ ସେ ସମସ୍ତଙ୍କ ନିକଟରେ ଭଜନ ସମ୍ରାଟ ଭିକାରୀ ବଳ ଭାବେ ହୋଇଗଲେ ପରିଚିତ।  କୁହାଯାଏ ପ୍ରଭୁ ଜଗନ୍ନାଥ ଯେମିତି ଭାବର ଠାକୁର, ଭିକାରୀ ବଳ ସେମିତି ଭାବର ଗାୟକ।

ଓଡ଼ିଆ ଭକ୍ତି ସଙ୍ଗୀତର ବାଦଶାହ ୨୦୧୦ ଆଜିର ଦିନରେ ଆରପାରିକୁ ଚାଲିଯାଇଥିଲେ।  ତାଙ୍କ ମୃତ୍ୟୁକୁ ୯ ବର୍ଷ ବିତିଯାଇଥିଲେ ବି  ଆଜିବି ସେ ଶ୍ରୋତାଙ୍କ ନିକଟରେ ଅମର ରହିଛନ୍ତି। ଆଜି ତାଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଖାନନଗର ଭିକାରୀ ବଳ ପାର୍କରେ ଥିବା ତାଙ୍କ ପ୍ରତମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।  ଭିକାରୀ ବଳ ସ୍ମୃତି ସଂସଦର ସଭାପତି ଅରୁଣ କୁମାର ପଣ୍ଡା ଓ ଉପସଭାପତି  ବିଜୟାନନ୍ଦ ସିଂହ, ଭିକାରୀ ବଳଙ୍କ ଦୁଇ ପୁଅ ଅମୀୟ ବଳ ଓ ଅଶୋକ ବଳ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭିକାରୀଙ୍କ ସ୍ମୃତିରେ ଶନିବାର ସନ୍ଧ୍ୟାରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ।

କେମିତି ଥିଲା ଭିକାରୀଙ୍କ ସଙ୍ଗୀତ ଯାତ୍ରା

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ହୋଇଥିଲେ। ପିଲାଟି ଦିନରୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଙ୍ଗୀତ ଶିକ୍ଷା ସଦନରେ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ତା’ପରେ କଟକ କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ।  ପରବର୍ତ୍ତୀ ସମୟରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଙ୍ଗୀତର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।

ଆକାଶବାଣୀରେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ଭିକାରୀ ବଳ କାମ କରିଥିଲେ।

ଭିକାରୀ ବଳଙ୍କୁ ମିଳିଥିବା ଉପାଧି

ଭଜନ ସମ୍ରାଟ, ଭକ୍ତ କଣ୍ଠ, ସଙ୍ଗୀତ ରତ୍ନାକର, ସଙ୍ଗୀତ ମଉଡ଼ମଣି, ସଙ୍ଗୀତ ବାରିଧି ଉପାଧିରେ ସମ୍ମାନିତ ହୋଇଥିଲେ ଭିକାରୀ ବଳ।

ବୈଷ୍ଣବ ଅଗ୍ନିରେ ହୋଇଥିଲା ଭିକାରୀଙ୍କ ଅନ୍ତିମ ସଂସ୍କାର

ଭିକାରୀ ବଳ ଥିଲେ ଭାଗ୍ୟବାନ। ତାଙ୍କ ଅନ୍ତିମ ସଂସ୍କାର ସମୟରେ ଶ୍ରୀମନ୍ଦିର ରୋଷଘରୁ ଅଗ୍ନି ଆସିଥିଲା, ଯାହାକୁ ବୈଷ୍ଣବ ଅଗ୍ନି କୁହାଯାଏ। ଏହି ସୌଭାଗ୍ୟ ଖୁବ୍‌ କମ ଲୋକଙ୍କ ଭାଗ୍ୟରେ ଥାଏ।

ଭିକାରୀଙ୍କ ଲୋକପ୍ରିୟ ଭଜନ

ଭିକାରୀ ବଳଙ୍କ ଲୋକପ୍ରିୟ ଭଜନ ମଧ୍ୟରେ ରହିଛି କୋଠ ଭୋଗଖିଆ, ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ହାତରେ ମୋ ମୁଠା ମୁଠା ଶରଧା ବାଲି, ମୁଁ ତ ବଡ଼ ଦେଉଳର ପାରାରେ, ଭକ୍ତ ସାଲବେଗ, ଅଗ୍ନୀ ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ ୨୦ ହଜାରରୁ ଅଧିକ ଗୀତ ଗାଇ ଇତିହାସ ରଚିଥିଲେ।

Comment