ଡକ୍ଟର ହରିହର କାନୁନ୍‌ଗୋ 

ଉଚ୍ଚଶିକ୍ଷା ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୪)

ଗୁଣାତ୍ମକ ଶିକ୍ଷାଦାନର ଅନ୍ୟ ଏକ ଭିତ୍ତିଭୂମି ହେଉଛି ନୀତି-ନୈତିକତା ସମ୍ପନ୍ନ ଦକ୍ଷ-ଅଭିଜ୍ଞ ଶିକ୍ଷକ ଚୟନ କରିବା। ଚୟନ ପଦ୍ଧତିରେ ସ୍ୱଚ୍ଛତା ରହିଲେ ହିଁ ଏହା ସମ୍ଭବ ହୋଇପାରିବ। କାରଣ ଯେଉଁମାନେ ଶିକ୍ଷାକୁ ଜୀବିକା ବା ବୃତ୍ତି ବା ପେଶା ନ କରି ନିଶା ବା ବ୍ରତ ବା ଜୀବନଧର୍ମରେ ପରିଣତ କରିଦେଇଥାନ୍ତି, ସେମାନଙ୍କ ଭିତରେ ହିଁ ଆପେ ଜନ୍ମନିଏ ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଓ ଶିକ୍ଷାପ୍ରୀତି। ଶିକ୍ଷାବୃତ୍ତି ପ୍ରତି ଶ୍ରଦ୍ଧା ବା ପ୍ରୀତି ଅକ୍ଷୁର୍ଣ୍ଣ ରଖିପାରିଲେ ଗୁଣାତ୍ମକ ଶିକ୍ଷାର ମାନ ଆପେଆପେ ବଢ଼ିବ, କୌଣସି କସରତର ଆବଶ୍ୟକତା ନାହିଁ। ମାତ୍ର ସବୁପ୍ରକାର ଭିତ୍ତିଭୂମି ଓ ସୁବିଧା ସୁଯୋଗ ଥିଲେ ମଧ୍ୟ ଯଦି ଶିକ୍ଷକ ବା ଅଧ୍ୟାପକଙ୍କ ଭିତରେ ସମର୍ପିତ ଭାବ ଶ୍ରଦ୍ଧା-ବିଶ୍ୱାସ-ଆଗ୍ରହ ଓ କର୍ତ୍ତବ୍ୟନିଷ୍ଠା ନ ରହିବ, ତେବେ ସରକାର ଯେତେ ନୀତି-ନିୟମ-ଆଇନ୍-କାନୁନ୍ ପ୍ରଣୟନ କଲେ ମଧ୍ୟ ତାହା ସେତେ ଫଳପ୍ରଦ ହେବନାହିଁ।

ଜୋର ଜବରଦସ୍ତ ଆଇନ୍ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମୟିକ କିଛି ପରିବର୍ତ୍ତନ କରାଯାଇପାରେ। ହେଲେ ତାହା ଉଚ୍ଚଶିକ୍ଷାର ବିଧିବ୍ୟବସ୍ଥାରେ ଗୁଣାତ୍ମକ ମାନବୃଦ୍ଧିର ସ୍ଥାୟୀ ସମାଧାନ ନୁହେଁ। ଅତଏବ ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ, ଏହା ଏକ ବ୍ରତ ବା ସଂକଳ୍ପ ବା ବିଦ୍ୟାର୍ଥୀର ଧର୍ମ ବୋଲି କୁହାଯାଇପାରେ।

ବର୍ତ୍ତମାନ ଆଦର୍ଶ ବା ଭଲଛାତ୍ର କହିଲେ କେବଳ ମେଧାବୀ ଛାତ୍ରକୁ ବୁଝାଏ ନାହିଁ। ବହୁ ମେଧାବୀ ଛାତ୍ରଛାତ୍ରୀ ଦେଶର ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ। ସେମାନଙ୍କ ଭିତରେ ସାଧୁତା ଓ ସଚ୍ଚୋଟତା ଗୁଣ କେତେ ରହିଛି ତାକୁ ମଧ୍ୟ ବିଚାରକୁ ନେବା ଦରକାର। ବର୍ତ୍ତମାନ ସମୟର ଅବିଭାବକମାନେ ତାଙ୍କ ପିଲାମାନଙ୍କୁ କହୁଛନ୍ତି, “ତୁ ପଛେ ଭଲ ମଣିଷ ନ ହୁଅ, ବେଶୀ ପାଠପଢ଼ି ବଡ଼ ଅଫିସର ବା ବଡ଼ ଚାକିରୀ କରି ଅର୍ଥ ରୋଜଗାର କର।” ଏହି ମାନସିକତା ଆଜି ଅଧିକାଂଶ ପରିବାରକୁ ବ୍ୟାପିଛି। ଭଲ ମଣିଷ କରି ଗଢ଼ିତୋଳିବାର ସ୍ୱପ୍ନ ଆସ୍ତେ ଆସ୍ତେ ଶିକ୍ଷାନୁଷ୍ଠାନରୁ କ୍ରମେ ହଜିହଜି ଯାଉଛି ବା ଲୋପ ପାଉଛି। କାରଣ ଯିଏ ଭଲପାଠ ପଢୁଛି, ତା’ ଭିତରେ ଔଦ୍ଧତ୍ୟ, ଅହଂକାର ଓ ଅନୀତି-ଅନ୍ୟାୟର ଗନ୍ଧ ପଶି ଯାଉଛି।

ଆତ୍ମସମୀକ୍ଷା ନ କରି ଅର୍ଥ-କ୍ଷମତା-ଜ୍ଞାନରେ ଅନ୍ଧ ହୋଇ ନିଜକୁ ବଡ଼ ବୋଲି ଭାବିନେବା ଫଳରେ ଜୀବନର ଦର୍ଶନ ବା ମୂଲ୍ୟବୋଧ କିଛିହେଲେ ରହୁନାହିଁ। ବେଶୀ ପାଠ ପଢ଼ିଦେଲେ ମଣିଷ ଜ୍ଞାନୀ ବା ବିଦ୍ୱାନ ହୋଇଯାଏ ନାହିଁ; ବରଂ ଆତ୍ମସମୀକ୍ଷା ବଳରେ ଯିଏ ଭଲ-ମନ୍ଦ, ପାପ-ପୁଣ୍ୟ, ନୀତି-ଅନୀତି, ନ୍ୟାୟ-ଅନ୍ୟାୟ ଓ ଧର୍ମ-ଅଧର୍ମର ବିଚାର କରି ସତ୍କର୍ମ ବା ଉଚିତ୍ କର୍ମ କରିଥାଏ, ସେ ହିଁ ଜୀବନରେ ଭଲ ଛାତ୍ର ବା ଶ୍ରେଷ୍ଠ ବିଦ୍ୟାର୍ଥୀ ରୂପେ ଗଣାହୁଏ। ଏହା ହିଁ ପ୍ରତିଟି ମଣିଷର ଅନ୍ତର୍ମୁଖୀ ଚେତନାର ସ୍ୱର ହେବା ଆବଶ୍ୟକ। ତେଣୁ ଆମେ ଶିକ୍ଷାୟତନରେ ପ୍ରାର୍ଥନା କଲାବେଳେ ବୋଲୁ- “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ, ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ।”

ଅତଏବ ସତ୍ୟର ପଥ ହେଉଛି ଧର୍ମର ପଥ, କର୍ମର ପଥ ଓ ପ୍ରକୃତ ଜ୍ଞାନର ପଥ। ବିଦ୍ୟାର୍ଥୀ ସର୍ବଦା ଏଇ ମାର୍ଗରେ ନିଜ ଜୀବନକୁ ପରିଚାଳିତ କରିବା ଆବଶ୍ୟକ। ତେଣୁ ଗୁରୁ-ଶିଷ୍ୟର ଏଇ ପବିତ୍ର ସମ୍ପର୍କ ଓ ପରମ୍ପରା ଯୁଗେ ଯୁଗେ ସମାଜକୁ ପ୍ରଭାବିତ କରିଆସିଛି। ହେଲେ ଏବେ ତାହା ଅବକ୍ଷୟମୁଖୀ ଓ ଏହାକୁ ଜାଣିଶୁଣି ପତନୋନ୍ମୁଖୀ କରିଦିଆଯାଇଛି ବା ଦିଆଯାଉଛି। ଏହାର ଅନେକ କାରଣ ରହିଛି। ତନ୍ମଧ୍ୟରୁ ଗୋଟିଏ କାରଣ ହେଲା ନୀତି-ନୈତିକତା, ସାଧୁତା, ମାନବିକତା, ସମ୍ବେଦନଶୀଳତା, ଦେଶ ବା ଜାତିପ୍ରୀତି ଭଳି ଉଚ୍ଚ ମୂଲ୍ୟବୋଧଭିତ୍ତିକ ଶିକ୍ଷାପ୍ରଦାନର ବ୍ୟବସ୍ଥା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କୌଣସି ପାଠ୍ୟଖସଡ଼ାରେ ଆଖିଦୃଶିଆ ଭଳି ହୋଇନାହିଁ କି ହେଉନାହିଁ।

ଶିକ୍ଷାନୁଷ୍ଠାନରେ କେବଳ ମସ୍ତିଷ୍କ ବିକାଶର ପାଠ୍ୟକ୍ରମ ପ୍ରଚଳନର ବ୍ୟବସ୍ଥା ଥିଲାବେଳେ ହୃଦୟ ବା ବିବେକ ବା ବିଚାରର ବିକାଶ ନିମିତ୍ତ କୌଣସି ପାଠ୍ୟକ୍ରମର ପ୍ରଚଳନ ବା ତା’ର ସଦୁପଯୋଗ ନିମନ୍ତେ ପ୍ରାକ୍ଟିକାଲ୍ ଟ୍ରେନିଙ୍ଗ୍ (ପୋଥି ବାଇଗଣ ନୁହେଁ, ବାଡ଼ି ବାଇଗଣ) ପ୍ରଦାନର ବ୍ୟବସ୍ଥା ନାହିଁ। କେବଳ ପାଠ୍ୟଖସଡ଼ାରେ ଥିବା ବିଷୟକୁ ପଢ଼ି ବା ମୁଖସ୍ଥ କରି ପରୀକ୍ଷା ଖାତାରେ ଲେଖି ଭଲ ନମ୍ବର ରଖିଦେଲେ ଆମେ ଯୋଗ୍ୟ-ମେଧାବୀ ଛାତ୍ର ଭାବରେ ପରିଗଣିତ ହେଉଛୁ; ମାତ୍ର ତାହା ପ୍ରକୃତ ଗୁଣାତ୍ମକ ଶିକ୍ଷା ବା ବିଦ୍ୟାର ଅସଲ ଜ୍ଞାନ କି? ଛାତ୍ରଟି ପରୀକ୍ଷା ପରେ ଘୋଷିଥିବା ପାଠଗୁଡ଼ିକୁ ସେ ଧୀରେଧୀରେ ଭୁଲି ଯାଉଛି । କାରଣ ତାହା ଆଉ ଆଗାମୀ ଭବିଷ୍ୟତରେ ଦରକାରରେ ଆସୁନାହିଁ । ତେଣୁ ଛାତ୍ରର ପ୍ରୟୋଜନ ଅନୁସାରେ ମୂଲ୍ୟବୋଧ ଆହରଣ ଶିକ୍ଷା ବା ବିଦ୍ୟାଦାନର ବ୍ୟବସ୍ଥା କରାଯିବା ନିହାତି ଜରୁରୀ।

ଶିକ୍ଷା ଅଧ୍ୟୟନର ସ୍ତର ଯେତିକି ଶାଖା-ପ୍ରଶାଖା ମେଲି ବିଶାଳ ହେଉଛି, ତାହା ଚେରବିହୀନ ହୋଇଥିବାରୁ କେତେବେଳେ ଦୈବଦୁର୍ବିପାକରେ ସମୂଳେ ଉପୁଡ଼ି ନ ଯିବ କିଏ କହିବ? ତେଣୁ ଶିକ୍ଷା ବା ଉଚ୍ଚଶିକ୍ଷାର ମୂଳ ବା ଚେର ଠିକ୍ ରହିଲେ ହିଁ ଶିକ୍ଷାରୂପକ ଗଛ ତା’ର ଶାଖା-ପ୍ରଶାଖା ମେଲି ବିଶାଳ କଳ୍ପଦ୍ରୁମରେ ପରିଣତ ହେବା ସଙ୍ଗେସଙ୍ଗେ ସମସ୍ତଙ୍କୁ ସେ ଛାଇ ପ୍ରଦାନ କରିବା ସଙ୍ଗେସଙ୍ଗେ ପତ୍ର, ଫୁଲ, ଫଳ ଓ ଶାଖା-ପ୍ରଶାଖା ତଥା ଗଣ୍ଡି ଆଦି ସମସ୍ତଙ୍କ ଉପକାରରେ ଆସିବ । ତେଣୁ ବିଦ୍ୟାର୍ଥୀର ମୂଳ ବା ଚେର ହେଉଛି ତା’ର ଚରିତ୍ରବତ୍ତା, ମାନବିକତା, ସାଧୁତା ଓ ସଚ୍ଚୋଟତା। ତେଣୁ ନୀତିନିଷ୍ଠ-ହୃଦୟବାନ୍ ଛାତ୍ରସମାଜ ସୃଷ୍ଟି ନ ହେଲେ ସମାଜ ଧ୍ୱଂସ ହୋଇଯିବ। କାରଣ ଗୁଣୀ ଶିକ୍ଷକର ଶିକ୍ଷାଦାନ ବଳରେ ହିଁ ଭଲ ଶିକ୍ଷକ, ପ୍ରଫେସର, ଡାକ୍ତର, ଇଞ୍ଜିନିୟର, ପ୍ରଶାସକ, ବିଚାରକ, ବିଧାୟକ ଓ ବୈଜ୍ଞାନିକ ଯେ ତିଆରି ହୋଇପାରିବେ ଏହା ଧ୍ରୁବ ସତ୍ୟ ଓ ଆମେ ସମସ୍ତେ ବର୍ତ୍ତମାନ ଯୁଗରେ ମଧ୍ୟ ଭରସା ଓ ବିଶ୍ୱାସ ରଖିବା ଆବଶ୍ୟକ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ଶିକ୍ଷାବିତ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ପୂର୍ବତନ ନିର୍ଦ୍ଦେଶକ ଓଡ଼ିଶା ଭାଷା ପ୍ରତିଷ୍ଠାନ।)

Comment