ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକତାର ଛାପରେ ଝିଅ ହୁଅନ୍ତୁ କି ମହିଳା କେହି କେଶରେ ତେଲ ଲଗାଇ ବାହାରକୁ ଯିବାକୁ ପସନ୍ଦ କରୁନାହାନ୍ତି। ତେଲ ପୁଚପୁଚ କେଶ ସେମାନଙ୍କ ଷ୍ଟାଇଲରେ ବାଧା ସୃଷ୍ଟି କରିବ ବୋଲି ସେମାନେ ଭାବନ୍ତି। ତେଲ କେଶ ପାଇଁ କେତେ ଜରୁରୀ ତାକୁ ହେୟଜ୍ଞାନ କରିଦିଅନ୍ତି।

କେଶକୁ ସୁନ୍ଦର ଓ ସୁସ୍ଥ ରଖିବାରେ ତେଲ ହିଁ ସହାୟକ ହୋଇଥାଏ। କେଶକୁ ପୋଷଣ ଯୋଗାଇଥାଏ ତେଲ। କେଶରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଯେମିତି କେଶ ଝଡ଼ିବା, ରୂପି ହେବା ଆଦି ସମସ୍ୟା ତେଲ ମାଲିସ ଦ୍ୱାରା ସମାଧାନ ହୋଇଥାଏ। ତେଲ ହେଉଛି ଏଭଳି ପୋଷକ ଯାହା କେଶକୁ ମୁଲାୟମ ଓ ଶକ୍ତ କରେ। ଏଥି ସହ ରକ୍ତ ସଂଚାଳନ ଠିକ୍ ଭାବରେ କରାଏ। କେଶର ମୂଳରେ ଥିବା ଶୁଷ୍କ ତ୍ୱଚାକୁ ପରିଷ୍କାର କରେ ଓ ନୂଆ କେଶ ଜନ୍ମାଏ।

କେଶର ପ୍ରକୃତି ଅନୁସାରେ ତେଲ ଲଗାଇବା ଦରକାର। ତୈଳାକ୍ତ କେଶ ହୋଇଥିଲେ  ଦୁଇ ସପ୍ତାହରେ ଥରେ, ଶୁଷ୍କ କେଶ ହୋଇଥିଲେ ସପ୍ତାହରେ ଦୁଇ ଥର ମାଲିସ କରିବା ଆବଶ୍ୟକ।

-ତେଲ ଲଗାଇବା ପୂର୍ବରୁ କେଶକୁ ଭଲଭାବେ କୁଣ୍ଡାଇ ଦିଅନ୍ତୁ। ଫଳରେ ମୁଣ୍ଡରେ ଥିବା ମୃତ କୋଷିକା ଓ ଧୂଳିମାଟି ବାହାରି ଆସିବ।

-ସାଧାରଣତଃ ଗର୍ଭାବସ୍ଥାରେ କେଶ ଝଡିଥାଏ। ତେଣୁ ଏହି ସମୟରେ ଆଲମଣ୍ଡ ତେଲ ଲଗାଇବା ଦ୍ୱାରା ଏହି ସମସ୍ୟାକୁ ଏଡାଇ ଦେଇହେବ।

-ନଡ଼ିଆ ତେଲ କେଶ ପାଇଁ ପ୍ରାକୃତିକ କଣ୍ଡିସନର। ଏହା କେଶକୁ ପୋଷଣ ଦେବା ସହ ସୁସ୍ଥ ଓ ସତେଜ ରଖିଥାଏ। ସେହିପରି ଅଁଳା ତେଲରେ ଭିଟାମିନ ସି ଓ ଆଣ୍ଟି ଅକ୍ସିଡାଣ୍ଟ ପୂର୍ଣ୍ଣ ମାତ୍ରାରେ ଥାଏ। ଯାହା କେଶକୁ ସମୟ ପୂର୍ବରୁ ଦୁର୍ବଳ ହେବା ଓ ଧଳା ହେବାରୁ ରକ୍ଷା କରେ।

-ତେଲ ଲଗାଇବା ବେଳେ ଆଙ୍ଗୁଳିରେ ତେଲ ନେଇ ଶିରା କରି ମୁଣ୍ଡରେ ଲଗାନ୍ତୁ। ମୁଣ୍ଡରୁ ତେଲର ଅଗ୍ରଭାଗ ଯାଏଁ ଯେମିତି ତେଲ ଲାଗିବ। କେଶର ଶେଷ ଭାଗରେ ତେଲ ନ ଲାଗିଲେ କେଶ ଧୀରେ ଧୀରେ ତଳ ଆଡୁ ନଷ୍ଟ ହୁଏ। ନ ହେଲେ ତେଲକୁ ପାପୁଲି ଓ ଆଙ୍ଗୁଳି ସାହାଯ୍ୟରେ ଧୀରେ ଧୀରେ ଅନ୍ୟ ଆଡେ ଲଗାନ୍ତୁ। ତୈଳ ମାଲିସ ପରେ କେଶକୁ ପାନିଆରେ ଭଲଭାବେ କୁଣ୍ଡାଇ ଦିଅନ୍ତୁ। ଫଳରେ ତେଲ ଚାରିଆଡି ଲାଗିବ।

– କେଶର ଲୋମକୂପ ଖୋଲିବା ଓ ସଫା କରିବା ପାଇଁ ମାଲିସ ପରେ ଉଷୁମ ବାମ୍ଫ ନିଅନ୍ତୁ। ପ୍ରତି ୧୫ ଦିନରେ ଥରେ ଏପରି କରିବା ଦ୍ୱାରା ଲୋମକୂପରେ ଥିବା ଧୂଳି ଓ ମଇଳା ବାହାରି ଆସିବ।

କେଶ ପାଇଁ ତେଲ ଏକ ମୁଖ୍ୟ ପୋଷକ। କେଶ ବୃଦ୍ଧି ଓ କେଶକୁ ଦୃଢତା ପ୍ରଦାନ କରିଥାଏ ତେଲ। ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହେବା ଭୟରେ ଅନେକ କେଶରେ ତେଲ ଲଗାନ୍ତି ନାହିଁ। ଏଭଳି ଚିନ୍ତାଧାରାରୁ ଦୂରେଇ ରହିବା ଆବଶ୍ୟକ।

Comment