ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନେ ସମ୍ପର୍କରେ ଦୁଇ ଭଉଣୀ। ବଲିଉଡରେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଖୁବ୍ ସଫଳତା ସାଉଁଟିଛନ୍ତି ତ ପୁଣି କାହାରିକୁ ଆଖିଦୃଶିଆ ସଫଳତା ମିଳି ନାହିଁ।

ବଲିଉଡ ପରଦା ଉପରେ ଦୁଇ ଭଉଣୀଙ୍କ ରାଜ୍ ଅନେକ ସମୟରେ ଦେଖିବାକୁ ମିଳେ। ଯେମିତିକି କରିସ୍ମା କପୁର-କରିନା କପୁର, ନୂତନ ଓ ତନୁଜା, ରୀୟା ସେନ୍-ରାଇମା ସେନ୍, ଶିଳ୍ପା ଶିରୋଦକର-ନମ୍ରତା ଶିରୋଦକର, ଶ୍ରୁତି ହାସନ ଓ ଅକ୍ଷରା ହାସନ, ମଲ୍ଲାଇକା ଅରୋରା-ଅମ୍ରିତା ଅରୋରା, ଟ୍ୱିଙ୍କଲ ଖାନ୍ନା -ରିଙ୍କି ଖାନ୍ନା।

କରିସ୍ମା କପୁର- କରିନା କପୁର: ବଲିଉଡର ଏକ ଚର୍ଚ୍ଚିତ ଭଉଣୀଙ୍କ ଯୋଡ଼ି ହେଲେ କରିସ୍ମା କପୁର ଏବଂ କରିନା କପୁର। ଉଭୟେ ନାୟିକା ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ପ୍ରଖ୍ୟାତ କଳାକାର ଦମ୍ପତି ରଣଧୀର କପୁର ଓ ବବିତାଙ୍କ ବଡ଼ ଝିଅ ହେଲେ କରିସ୍ମା ଓ ସାନ ଝିଅ କରିନା। କରିସ୍ମା କପୁର ପ୍ରଖ୍ୟାତ ନିର୍ମାତା ଡି. ରାମାନାଇଜୁଙ୍କ ପ୍ରଯୋଜିତ ସୁପରହିଟ ଫିଲ୍ମ ‘ପ୍ରେମ କୈଦୀ’ରୁ ବଲିଉଡର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ‘ରାଜାବାବୁ’, ‘ସୁହାଗ’, ‘ହିରୋ ନମ୍ବର ୱାନ୍‌’, ‘କୁଲି ନମ୍ବର ୱାନ୍’, ‘ଗୋପି କିଶନ’, ‘ସାଜନ ଚଲେ ଶଶୁରାଲ’, ‘ରାଜା ହିନ୍ଦୁସ୍ତାନ୍’, ‘ହମ୍ ସାଥ୍ ସାଥ୍‌ ହେ’, ‘ଜିଗର’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ଭଳି ସୁପରହିଟ୍ ଫିଲ୍ମରେ ନାୟିକା ସାଜି ଟପ୍ ହିରୋଇନର ମାନ୍ୟତା ପାଇଥିଲେ। ବିବାହ ପରେ ଅବଶ୍ୟ ସେ ଗ୍ଲାମର ଦୁନିଆରୁ କିଛିଟା ଦୂରେଇ ଯାଇ ପୁଣି ‘ଡେଞ୍ଜରିୟସ୍ ଇସ୍କ’ ଜରିଆରେ ଲେଉଟିଥିଲେ।

ଅନ୍ୟପକ୍ଷରେ କରିନା କପୁର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ‘ରିଫ୍ୟୁଜି’ ଜରିଆରେ ହିରୋଇନ୍ ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁତ୍ର ଅଭିଷେକ ବଚ୍ଚନ ଥିଲେ ତାଙ୍କ ବିପକ୍ଷରେ। ‘ରିଫ୍ୟୁଜି’ ପରେ କରିନା ‘ଅଜନବୀ’, କଭି ‘ଖୁସି କଭି ଗମ୍’, ‘ରାୱାନ୍’, ‘ବଡ଼ିଗାର୍ଡ’, ‘ଥ୍ରୀ ଇଡିଅଟସ’, ‘ତଲାସ’, ‘ହଲଚଲ’, ‘ଜବ୍ ଉଇ ମେଟ୍’, ‘ଗୋଲମାଲ୍-3’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ଭଳି ସୁପରହିଟ୍ ଫିଲ୍ମ ଦେଇ ଟପ୍ ହିରୋଇନ୍ ବନିଥିଲେ। ସେ ବଲିଉଡର ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସମ୍ପ୍ରତି କରିନାଙ୍କ ଅଭିନୀତ ନୂଆ ସିନେମା ‘ବୀର ଦି ୱେଡିଂ’ ରିଲିଜ୍ ଅପେକ୍ଷାରେ ରହିଛି।  ଭଉଣୀ ଭାବେ କରିସ୍ମା ଓ କରିନାଙ୍କ ବଣ୍ଡିଂ ଖୁବ୍ ଷ୍ଟ୍ରଙ୍ଗ୍ ବୋଲି ଚର୍ଚ୍ଚା ହୁଏ।

ନୂତନ ଓ ତନୁଜା:- ପଚାଶ, ଷାଠିଏ, ସତୁରି ଓ ଅଶୀ ଦଶକରେ ବେଶ୍ ଚର୍ଚ୍ଚାରେ ଥିବା ଦୁଇ ଅଭିନେତ୍ରୀ ନୂତନ ଓ ତନୁଜା ହେଉଛନ୍ତି ଦୁଇ ଭଉଣୀ। ଏ ଦୁହେଁ ନିର୍ମାତା-ନିର୍ଦ୍ଦେଶକ କୁମାର ସେନ୍ ସମର୍ଥ ଓ ଅଭିନେତ୍ରୀ ଶୋଭନାଙ୍କ ଝିଅ। ନୂତନ ବଡ଼ ଓ ତନୁଜା ସାନ।

ପାଞ୍ଚ ପାଞ୍ଚ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର ଆୱାର୍ଡ ଲାଭ କରିଥିବା ନୂତନଙ୍କ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ହମାରି ବେଟି’, ‘ସୀମା’, ‘ପେଇଂ ଗେଷ୍ଟ’, ‘ଅନାଡି’, ‘ଦେବୀ’, ‘ସୁଜାତା’, ‘ଘରାନା’, ‘ମେଁ ତୁଲସୀ ତେରେ ଆଙ୍ଗନ କୀ’, ‘ମିଲନ’ ଓ ‘କର୍ମା’ ଆଦି। ଠିକ୍ ସେହିପରି ତନୁଜାଙ୍କ କ୍ୟାରିଅରର କେତୋଟି ଗୁରୁତ୍ୱପୂର୍ଣ୍ଣ ସିନେମା ହେଲା- ‘ହମାରି ୟାଦ ଆଏଗି’, ଜୁଏଲ୍ ଥିଫ୍‌’, ‘ପୈସା ଔର ପ୍ୟାର୍’, ‘ଜିନେ କି ରାହ୍’, ‘ହାଥୀ ମେରା ସାଥୀ’, ‘ଏକ୍ ପହେଲି’, ‘ଲଭ୍ ୟୁ’ ଇତ୍ୟାଦି।

ରୀୟା ସେନ୍-ରାଇମା ସେନ୍:- ଜଣାଶୁଣା ଅଭିନେତ୍ରୀ ମୁନମୁନ୍ ସେନଙ୍କର ଦୁଇ କନ୍ୟା ରୀୟା ଓ ରାଇମା ବଲିଉଡର କେତୋଟି ହାତଗଣତି ସିନେମାରେ ଅଭିନୟ କରିଛନ୍ତି। ହେଲେ ସେ ଦୁହିଁଙ୍କୁ ବଡ ଧରଣର ସଫଳତା ମିଳି ନାହିଁ। ରିୟା  ‘ବିଷକନ୍ୟା’, ‘ତାଜମହଲ’, ‘ଷ୍ଟାଇଲ୍’, ‘ପ୍ଲାନ୍’, ଶାଦି ନମ୍ବର ୱାନ୍ ଓ ଜେମସ ଆଦି ହିନ୍ଦୀ ସିନେମାରେ ନଜର ଆସିଥିବା ବେଳେ ରାଇମାକୁ ଗଡମଦର, ଶକ୍ତି, ଦସ୍ ଓ ତିନ୍ ପତି ଆଦି ସିନେମାରେ ଦେଖିବାକୁ ମିଳିଛି।

ଶିଳ୍ପା ଶିରୋଦକର-ନମ୍ରତା ଶିରୋଦକର:- ଏ ଦୁହେଁ ବି ଦୁଇ ଭଉଣୀ। ବଡ଼ଭଉଣୀ ଶିଳ୍ପା ‘ଭ୍ରଷ୍ଟାଚାର’, ‘କିଶନ କହ୍ନେୟା’, ‘ଘର୍  କୀ ଲକ୍ଷ୍ମୀ’, ପାରକୀ କମାଲ ଓ ହମ୍ ଆଦି ଫିଲ୍ମରେ ନାୟିକା ଭୂମିକା ନିଭାଇଥିବାବେଳେ ନମ୍ରତାଙ୍କୁ ଦର୍ଶକ ଜନ୍ ପ୍ୟାର୍ କିସିସେ ହୋତା ହେ, କଚ୍ଚେ ଧାଗେ, ପୁକାର, ବାସ୍ତବ, ଅସ୍ତିତ୍ୱ ଓ ତେରା ମେରା ସାଥ୍‌ ରହେ ଆଦି ସିନେମାରେ ଦେଖିବାକୁ ପାଇଛନ୍ତି।

ସୁଷମା ରେଡି-ସମୀରା ରେଡି:- ଏ ଦୁଇ ଭଉଣୀ ହାତଗଣତି ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ବଲିଉଡରୁ ଦୂରେଇ ଯାଇଛନ୍ତି। ସମୀରା ‘ମେନେ ଦିଲ୍ ତୁଝକୋ ଦିୟା’, ‘ପ୍ଲାନ୍’, ‘ନକ୍ସା’, ‘ରେସ୍’ ଓ କାଲପୁରୁଷ ଆଦି ଫିଲ୍ମରେ ନାୟିକା ଭାବେ ପରଦାକୁ ଆସିଥିଲେ। ସୁଷମା ‘ଚକଲେଟ୍’, ‘ଡନ୍’ ଓ  ‘ଚୁପ ଚୁପ୍‌କେ’ ଆଦି ସିନେମାରେ ଅଭିନୟ କରିଛନ୍ତି।

ଶ୍ରୁତି ହାସନ ଓ ଅକ୍ଷରା ହାସନ:- ସାଉଥ ସୁପରଷ୍ଟାର କମଲ ହାସନ ଓ ଅଭିନେତ୍ରୀ ସାରିକାଙ୍କ ଦୁଇ ଝିଅ ଶ୍ରୁତି ଓ ଅକ୍ଷରା ଉଭୟ ସାଉଥ୍ ଓ ବଲିଉଡରେ କାମ କରିଛନ୍ତି। ବଡ଼ ଭଉଣୀ ଶ୍ରୁତି ‘ହେ ରାମ୍’, ‘ରମେୟା ବସ୍ତା ବେୟାଁ’, ‘ୱେଲକମ୍ ଖାନ୍’ ଏବଂ ‘ଦିଲତୋ ବଚ୍ଚା ହେ’ ଏବଂ ଅକ୍ଷରା ‘ସମିତାଭ୍’ ଫିଲ୍ମରେ ନଜର ଆସିଛନ୍ତି। ଏତଦ୍‌ବ୍ୟତୀତ ଅକ୍ଷରା ‘ଲାଲି କି ଶାଦି ମେଁ ଲଡ଼ୁ ଦିୱାନା’ ସିନେମାରେ ବି କାମ କରିଛନ୍ତି। ଏ ଦୁହେଁ ବଲିଉଡରେ ବିଶେଷ ସଫଳ ନୁହନ୍ତି।

ମଲ୍ଲାଇକା ଅରୋରା-ଅମ୍ରିତା ଅରୋରା- ମଲ୍ଲାଇକା ଓ ଅମ୍ରିତା ମଧ୍ୟ ସମ୍ପର୍କରେ ଦୁଇ ଭଉଣୀ। ମଲ୍ଲାଇକା ଜଣେ ଆଇଟମ୍ ଗାର୍ଲ, କିନ୍ତୁ ଅମ୍ରିତା ଏକଦା ନାୟିକା ଭାବେ ବଡ଼ ପରଦାକୁ ଆସିଥିଲେ। ମଲ୍ଲାଇକା ‘ବିଚ୍ଛୁ’, ‘ଦିଲସେ’, ‘ମାଁ ତୁଝେ ସଲାମ’, ‘କାଣ୍ଟେ’, ‘ଦବଙ୍ଗ’ ଓ ‘ଦବଙ୍ଗ-ଟୁ’ ଆଦି ଫିଲ୍ମରେ ନଜର ଆସିଛନ୍ତି ଆଇଟମ୍ ଗର୍ଲ ଭାବେ। କିନ୍ତୁ ଅମ୍ରିତା ଅରୋରା ‘କିତନେ ଦୂର କିତନେ ପାସ୍’, ‘ଆୱାରା ପାଗଲ ଦିୱାନା’, ‘ଜମିନ୍’ ଓ ‘ରକ୍ତ’ ଆଦି ସିନେମାରେ ଫିମେଲ ଲିଡରେ ଥିଲେ।

ଟ୍ୱିଙ୍କଲ ଖାନ୍ନା -ରିଙ୍କି ଖାନ୍ନା:- ଭାରତର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଓ ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଦୁଇ ଝିଅ ଟ୍ୱିଙ୍କଲ ଓ ରିଙ୍କି ଏକଦା ବଲିଉଡରେ ନାୟିକା ଭାବେ ଲୋକପ୍ରିୟତା ହାସଲ କରିଥିଲେ। ଟ୍ୱିଙ୍କଲ ‘ବରସାତ’, ‘ଦିଲ୍‌ ତେରା ଆଶିକ୍’, ‘ଜୁଲ‌ମି’, ‘ମେଲା’, ‘ବାଦଶାହା’ ଓ ‘ଜବ୍ ପ୍ୟାର କିସି ସେ ହୋତା ହେ’ ଆଦି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ। ଠିକ୍ ସେହିପରି ସାନଭଉଣୀ ରିଙ୍କି ‘ଜିସ ଦେଶ ମେଁ ଗଙ୍ଗା ରହତା ହୈ’,  ‘ପ୍ୟାର ମେଁ କଭି କଭି’, ‘ୟେ ହେ ଜଲୱା’ ଓ ‘ପ୍ରାଣ୍ ଯାଏ ପର୍ ବଚ୍ଚନ ନ ଜାୟେ’ ଭଳି ସିନେମାରେ ଅଭିନୟ କରିଥିଲେ। ଦୁଇ ଭଉଣୀ ବିବାହ ପରେ ଅଭିନୟ କ୍ଷେତ୍ରରୁ  ଦୂରେଇ ଯାଇଥିଲେ।

Comment