ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ୪ ତାରିଖରୁ ଅଡ-ଇଭେନ ନିୟମ ଲାଗୁ ହୋଇଛି। ଏହି କଟକଣା ସତ୍ତ୍ୱେ ଅନେକ ଲୋକ ଭୁଲ ନମ୍ବର ଗାଡ଼ି ବାହାର କରି ରାସ୍ତାକୁ ଆସିଥିବା ଦେଖାଯାଇଥିଲା। ଦିଲ୍ଲୀ ଟ୍ରାଫିକ ପୋଲିସ ମଧ୍ୟ ଖୁବ୍ ଜମେଇକି ଚାଲାଣ କାଟୁଥିବା ଲକ୍ଷ୍ୟ କରାଯାଇଥିଲା।

ତେବେ ଏହି ନିୟମ ଉଲ୍ଲଂଘନ ବେଳେ କେତୋଟି ମଜାଦାର ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଘଟଣାରେ ସଦ୍ୟ ବିବାହିତ କନ୍ୟାକୁ ନେଇ ଫେରୁଥିବା ଏକ କାର ନିୟମ ଉଲ୍ଲଂଘନର ଶିକାର ହୋଇଥିଲା। ସେଦିନ ପ୍ରକୃତରେ ଅନ୍ୟ ନମ୍ବର ଗାଡ଼ିର ଦିନ। କିନ୍ତୁ ଏହି ଗାଡ଼ିଟିକୁ ପ୍ରାୟ ଦୁଇ ମାସ ଆଗରୁ ବୁକ କରାଯାଇଥିଲା ଯେତେବେଳେ ନିୟମ ଘୋଷଣା କରାଯାଇନଥିଲା। ବହୁ ଯୁକ୍ତିତର୍କ ପରେ ନବବଧୂର ମୁହଁକୁ ଚାହିଁ ପୋଲିସ ଗାଡିଟିକୁ ଛାଡ଼ିଦେଇଥିଲା। ଏହି ଘଟଣା ଘଟିଥିଲା ବଦରପୁର ଇଲାକାରେ।

ଅନ୍ୟ ଏକ ଘଟଣା ଘଟିଥିଲା କରୋଲବାଗ ଅଞ୍ଚଳରେ। ଜଣେ ଝିଅ ଟ୍ୟୁସନ ହେବାକୁ ଯାଇ ଜରିମାନାର ଶିକାର ହୋଇଥିଲା। ଦିଲ୍ଲୀ ସରକାର ଯଦିଓ ନିୟମ କରିଛନ୍ତି ଯେ, ସ୍କୁଲ ବସ୍‌ ସବୁ ଏହି ଗାଡ଼ି ଚଳା ନିୟମ ଭିତରକୁ ଆସିବେ ନାହିଁ, ତେବେ ଟ୍ୟୁସନ ପାଇଁ ଅଡ୍‌-ଇଭେନ ନିୟମ ଲାଗୁ ହେବ କି ନାହିଁ ପୋଲିସ ନିଶ୍ଚିତ ନଥିବାରୁ ଛାତ୍ରୀଙ୍କ ଅଭିବାବକକୁ ତଣ୍ଡ ଗଣିବାକୁ ପଡ଼ିଥିଲା।

Comment