ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡି ଆସିବେ କି? ଏହି ଚର୍ଚ୍ଚା ଗତ କିଛିଦିନ ହେଲା ସବୁଠି ଲାଗି ରହିଥିବା ବେଳେ ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଗଣମାଧ୍ୟମକୁ ଏମିତି କଥା କହିଛନ୍ତି।

ସେ କହିଛନ୍ତି, ‘‘ଦାମ ବାବୁ କେବେ ବିଜେଡିକୁ ଆସିବେ ତାହା ମୁଁ ଜାଣିନାହିଁ। ସେ ବିଷୟରେ ନିଜେ ଦାମ ବାବୁ ଏବଂ ବିଜେଡି ସୁପ୍ରିମୋ ହିଁ କହି ପାରିବେ। ମୁଁ ବିଧାୟକ ହିସାବରେ ଯାହା କରିବା କଥା ଲୋକଙ୍କ ପାଇଁ କାମ କରୁଛି। ଦାମ ବାବୁ ବିଜେଡି ଆସିବାକୁ ନେଇ ମୁଁ କୌଣସି କାମ କରୁନାହିଁ।’’

ଡାକ୍ତର ଦାମଦୋର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏବେ କୌଣସି ଦଳରେ ନାହାନ୍ତି। ନିକଟରେ ସେ କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ପଞ୍ଚାୟତ ଅଫିସ୍‌କୁ ଯାଇଥିଲେ। ପଞ୍ଚାୟତରେ ଉନ୍ନତିମୂଳକ କାମ କେମିତି ଚାଲିଛି ତଦାରଖ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ଯେ ଦାମ ବାବୁ ବିଜେଡିକୁ ଆସିବାକୁ ଚାହୁଁଛନ୍ତି। ଏଣୁ ଏଥିପାଇଁ ସେ ପଞ୍ଚାୟତ ଅଫିସକୁ ଆସି ବିଭିନ୍ନ କାମର ତଦାରଖ କରୁଛନ୍ତି।

‘‘ଦାମ ବାବୁ ୪୦ ବର୍ଷ ହେଲା ପାରାଦୀପ, କୁଜଙ୍ଗ ଅଞ୍ଚଳର ଜନପ୍ରତିନିଧି ଥିଲେ। ତାଙ୍କ ଅମଳରେ ସେ ବହୁ ପ୍ରକଳ୍ପ ପାଇଁ ଅନୁଦାନ ଦେଇଥିଲେ। ସେ ସବୁ ପ୍ରକଳ୍ପ କେଉଁ ସ୍ଥିତିରେ ଅଛି ତାହା ଜାଣିବା ପାଇଁ ପଞ୍ଚାୟତ ଅଫିସ୍‌କୁ ଯାଇଥିବେ’’, କହିଛନ୍ତି ସମ୍ବିତ ରାଉତରାୟ।

ବିଜେଡିରୁ ବିଦା ହେବା ପରେ ଦାମ ବିଜେପିରେ ଯୋଗ ଦେଇଥିଲେ। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ହେଲେ ଦାମଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ନିର୍ବାଚନ ହାରିବା ପରେ ଦାମ ବିଜେପିରେ ଅଲୋଡ଼ା ହୋଇ ରହିଥିବା ଅଭିଯୋଗ ଆଣିଲେ। ଶେଷରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।

ବିଜେପି ଛାଡ଼ିବା ବେଳେ ଦାମ ବିଜେଡି ଆସିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଦାମ ବିଜେଡିକୁ ଯାଇ ନାହାନ୍ତି କି ଦଳରୁ ତାଙ୍କୁ ଡକରା ଆସିନି।

Comment