ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ର କ୍ୟାବିନେଟ୍‌ ସହ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
  • କେନ୍ଦ୍ରାପଡ଼ାରେ ସର୍ବାଧିକ ୧୧୩୯ ଜଣଙ୍କୁ ସ୍ଥାନାନ୍ତର
  • ଧାମରାରେ ସର୍ବାଧିକ ୧୧୦ କିଲୋମିଟର ବେଗରେ ବହିଲା ପବନ
  • ରାଜ୍ୟରେ ୬ ଲକ୍ଷ ହେକ୍ଟର ଜମିର ୪୦ ପ୍ରତିଶତ କ୍ଷୟକ୍ଷତି
  • ପଶ୍ଚିମବଙ୍ଗର ମତ୍ସ୍ୟଜୀବିଙ୍କୁ ଉଦ୍ଧାର
  • ଆଡ୍‌ଭାନ୍ସ ଟିମ୍‌ ପଠାଯାଇବାକୁ କେନ୍ଦ୍ରକୁ ଅନୁରୋଧ

ବାତ୍ୟା ‘ବୁଲବୁଲ’କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍‌ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ପ୍ରଭାବିତ ଥିବା ଅଞ୍ଚଳରୁ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବୈଠକ ପରେ ଶାସନ ସଚିବ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ାରେ ସର୍ବାଧିକ ୧୧୩୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ବାତ୍ୟା ବୁଲବୁଲ ପ୍ରଭାବରେ ଧାମରାରେ ସର୍ବାଧିକ ୧୧୦ କିଲୋମିଟର ବେଗରେ ପବନ ବହିଥିବା ସେ ସୂଚନା ଦେଇଛନ୍ତି।

ଆସିତ ତ୍ରିପାଠୀ କହିଛନ୍ତି, “କାଲି ରାତି ୯ଟାରୁ ବାତ୍ୟା ବୁଲବୁଲର ପ୍ରଭାବ ପାରାଦୀପଠାରୁ ଆରମ୍ଭ ହୋଇ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଦେଇ ବର୍ତ୍ତମାନ ବାଲେଶ୍ୱରରେ ପହଞ୍ଚିଛି। ପ୍ରବଳ ପବନ ସହ ବର୍ଷା ହେବା ଦ୍ୱାରା ରାଜ୍ୟର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି।”

ଗୋଟିଏ ସ୍ଥାନରେ ୩୩ କେଭି ଏବଂ କିଛି ସ୍ଥାନରେ ୧୧ କେଭିର ବିଦ୍ୟୁତ୍‌ ତାର ଛିଡ଼ି ଯାଇଛି। ପଶ୍ଚିମବଙ୍ଗର ମତ୍ସ୍ୟଜୀବିଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସେହିପରି ବାତ୍ୟା ବୁଲବୁଲ ପ୍ରଭାବରୁ ରାଜ୍ୟରେ ୬ ଲକ୍ଷ ହେକ୍ଟର ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏକ ଆଡ୍‌ଭାନ୍ସ ଟିମ୍‌ ପଠାଯାଇ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ଆଜି ସକାଳେ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରିଦର୍ଶନ କରି ବାତ୍ୟାର ସ୍ଥିତି ସମ୍ପର୍କରେ ପାଣିପାଗ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

Comment