ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟା ରାୟକୁ ନେଇ ପ୍ରତିକ୍ରିୟା ଦେଲେ ରାଷ୍ଟ୍ରିୟ ସ୍ଵୟଂ ସେବକ ମୁଖ୍ୟ ମୋହନ ଭାଗବତ।

ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ସରକାର ତାଙ୍କ କାମ କରିବେ। ଏବେ ଆମେ ସବୁ ମିଳିମିଶି ରାମମନ୍ଦିର ନିର୍ମାଣ କରିବା। ସୁପ୍ରିମକୋର୍ଟଙ୍କ ରାୟକୁ ସଂଘ ସ୍ଵାଗତ କରୁଛି। ଏହି ନିଷ୍ପତ୍ତି ମାଧ୍ୟମରେ ଆମକୁ ଦେଶରେ ଶାନ୍ତି ବଜାୟ ରଖିବାକୁ ହେବ ବୋଲି କହିଛନ୍ତି ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ।

ରାମ ଜନ୍ମଭୂମି ଓ ବାବରୀ ମସଜିଦ୍‌ ବିବାଦ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରାୟ ପ୍ରକାଶ ପାଇବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ମୋହନ ଭାଗବତ। ସେ କହିଛନ୍ତି, “ସପ୍ରିମକୋର୍ଟଙ୍କ ଏହି ରାୟ ସ୍ଵାଗତଯୋଗ୍ୟ। କୋର୍ଟ ସମସ୍ତଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ରାୟ ଶୁଣାଇଛନ୍ତି। ସମାଜ ଏହାକୁ ସ୍ଵାଭାବିକ ଭାବରେ ଗ୍ରହଣ କରିସାରିଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ନିଷ୍ପତ୍ତି ଦ୍ଵାରା ଜନତାଙ୍କୁ ନ୍ୟାୟ ମିଳିଛି। ଏହି ଖୁସି କାହାର ହାର କିମ୍ଵା ଜିତ୍‌ ସହ ଜଡ଼ିତ ନୁହେଁ। ମୋଦୀ ସରକାର ଦେଶରେ ଶାନ୍ତି ବଜାୟ ରଖିବାକୁ ଭଲ ପ୍ରୟାସ କରିବେ। ଏହାସହ ମସଜିଦ ତିଆରି ପାଇଁ ସରକାର ଉତ୍ତମ ପଦଷେପ ନେବେ ବୋଲି ଆଶା କରୁଛୁ।”

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅଯୋଧ୍ୟା ଭିତରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Comment