ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ବୁଲବୁଲ୍ ନେଇ ତାଜା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ୱାସ। ବାତ୍ୟା ବୁଲବୁଲ ବର୍ତ୍ତମାନ ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତ୍ତୀ ହେଉଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପବନ ଓ ବର୍ଷା ଲାଗି ରହିଛି। ଆସନ୍ତା ୬ ଘଣ୍ଟା ପରେ ଓଡ଼ିଶାରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସୂଚନା ମିଳିଛି।

ବାତ୍ୟା ବୁଲବୁଲ ବର୍ତ୍ତମାନ ପଶ୍ଚିମବଙ୍ଗର ଦୀଘା ଉପକୂଳଠାରୁ ୧୧୦ କିଲୋମିଟର ଦୂରରେ ରହିଛି। ସେହିପରି ପାରାଦୀପଠାରୁ ୧୨୫ କିଲୋମିଟର, ଚାନ୍ଦବାଲିରୁ ୧୨୦ କିଲୋମିଟର ଓ ବାଲେଶ୍ୱରଠାରୁ ୧୩୫ କିଲୋମିଟର ଦୂରରେ ରହିଛି ବାତ୍ୟା ବୁଲବୁଲ।

୬ ଘଣ୍ଟା ଧରି ଏହି ବାତ୍ୟା ଉତ୍ତର ଦିଗ ଆଡ଼କୁ ଗତି କରୁଥିଲା, ବର୍ତ୍ତମାନ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ। ଶନିବାର ମଧ୍ୟରାତ୍ରିରେ ଏହି ବାତ୍ୟା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପୁରା ଭିତରେ ଥିବା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ୧୧୦ରୁ ରୁ ୧୨୦ କିଲୋମିଟର ଭିତରେ ରହିବ ବୋଲି ସୂଚନା ମିଳିଛି।

ବାତ୍ୟାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ବର୍ତ୍ତମାନ ଖୁବଜୋରରେ ପବନ ଓ ବର୍ଷା ହେଉଛି। ଏହି ଜିଲ୍ଲାମାନଙ୍କରେ ପବନର ବେଗ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଅଧିକ ରହିବ। ଏହାପରେ ପବନ ଓ ବର୍ଷାର ପରିମାଣ ଧିରେ ଧିରେ ହ୍ରାସ ପାଇବ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ସେହିପରି ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝରରେ ମଧ୍ୟ ବର୍ଷା ଜାରିରହିଛି।

ବାଲେଶ୍ୱର, ଭଦ୍ରକ ଆଦି ଉତ୍ତର ଉପକୂଳ ଜିଲ୍ଲାମାନଙ୍କରେ ପବନର ବେଗ ୭୦ରୁ ୮୦ କିଲୋମିଟର ଭିତରେ ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ତ୍ତମାନ ପବନର ବେଗ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୬ ଘଣ୍ଟା ପରେ ପବନର ବେଗ ସାଧାରଣ ହୋଇଯିବା ସହ ସ୍ଥିତି ସ୍ୱାଭାବିକ ହେବ ବୋଲି ସୂଚନା ଦେଇଛନ୍ତି ହବିବୁର ରେହମାନ।

ମତ୍ସ୍ୟଜୀବୀମାନଙ୍କୁ କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ମୁଖ୍ୟତଃ ଗଭୀର ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବନ୍ଦରମାନଙ୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି।

Comment