ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ତ୍ତାରପୁର କରିଡରକୁ ଶନିବାର ଉଦଘାଟନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ଅବସରରେ ସେ ଦେଶବାସୀଙ୍କୁ ଉଦବୋଧନ୍ ଦେଇଛନ୍ତି।

ମୋଦୀ କହିଛନ୍ତି, “ଦେଶକୁ ଏହି କର୍ତ୍ତାରପୁର କରିଡର ସମର୍ପଣ କରିବା ମୋ ପାଇଁ ସୌଭାଗ୍ୟର କଥା। ଏହାସହ ସାରା ବିଶ୍ୱରେ ଥିବା ଶିଖ୍ ଭାଇଭଉଣୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଗୁରୁନାନକଙ୍କ ୫୫୦ତମ ଜନ୍ମଜୟନ୍ତୀ ପୂର୍ବରୁ ଏହି କରିଡର ଉଦଘାଟନ୍ ହେବା ନିଶ୍ଚିତ ପକ୍ଷେ ସମସ୍ତଙ୍କ ପାଇଁ ଖୁସିର କଥା।”

ଏହାସହ ସେ ପ୍ରଥମ ତୀର୍ଥଯାତ୍ରୀ ଦଳକୁ ସବୁଜ ପତାକା ଦେଖାଇ ସ୍ୱାଗତ କରିଥିଲେ। ସେ ପଞ୍ଜାବ ସରକାର ଓ ଏହା ସହ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମୋଦୀଙ୍କ ସହ ଏହି ଉଦଘାଟନ୍ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଓ ବିଜେପି ସାଂସଦ ସନୀ ଦେଓଲ୍ ଓ ଅକାଳୀ ଦଳର ନେତା ସୁଖବୀର ସିଂହ ପ୍ରମୁଖ ଯୋଗ ଦେଇଥିଲେ।

କର୍ତ୍ତାରପୁର ସେହି ସ୍ଥାନ, ଯେଉଁଠି ଶିଖ୍‌ମାନଙ୍କ ପ୍ରଥମ ଗୁରୁ ଶ୍ରୀ ନାନକ ଜନ୍ମ ଗ୍ରହଣ କରିଥଲେ। ଏଠାରେ ଗୁରୁ ନାନକ ତାଙ୍କ ଜୀବନର ଶେଷ ୧୮ ବର୍ଷ ବିତାଇଥିଲେ। ଏଥିସହ ଗୁରୁ ନାନକ ତାଙ୍କର ଶେଷ ନିଶ୍ଵାସ ଏଠାରେ ତ୍ୟାଗ କରିଥିଲେ। କୁହାଯାଏ, ୧୫୩୯ ମସିହା ସେପ୍ଟେମ୍ବର ୨୨ତାରିଖରେ ଯେଉଁ ସ୍ଥାନରେ ନାନକ ମୃତ୍ୟୁବରଣ କରିଥିଲେ, ସେହି ସ୍ଥାନରେ ହିଁ ଗୁରୁଦ୍ଵାର ନିର୍ମିତ ହୋଇଥିଲା।

ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ତିକ୍ତତା ଯୋଗୁଁ ଭାରତୀୟ ତୀର୍ଥଯାତ୍ରୀମାନେ ପାକିସ୍ତାନ ନଯାଇ ଭାରତରେ ରହି ଏହାକୁ ଦୂରରୁ ଦର୍ଶନ କରୁଥିଲେ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଲଗାଯାଇଥିଲା। ଯାହା ସାହାଯ୍ୟରେ ଶିଖ୍ ଶ୍ରଦ୍ଧାଳୁମାନେ ଗୁରୁଦ୍ଵାର ଦର୍ଶନ କରୁଥିଲେ। ଏହି କରିଡର ନିର୍ମାଣ ହେବା ପରେ ଭାରତୀୟ ଶିଖ୍‌ ଶ୍ରଦ୍ଧାଳୁ କର୍ତ୍ତାରପୁର ଯାଇ ସିଧାସଳଖ ଗୁରୁଦ୍ୱାର ଦର୍ଶନ କରିପାରିବେ।

Comment