ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ମାମଲାରେ ଗୁରୁତ୍ଵପୂର୍ଣ୍ଣ ଶୁଣାଣି। ଦେଶବାସୀଙ୍କୁ ସମ୍ଵୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତି ଆମ ପାଇଁ ଏକ ନୂଆ ସକାଳ ନେଇ ଆସିଛି। ଅନେକ ପିଢ଼ି ଉପରେ ଏହି ବିବାଦର ପ୍ରଭାବ ପଡ଼ିଛି। ହେଲେ ବର୍ତ୍ତମାନ ଆମକୁ ସଂକଳ୍ପ ନେବାକୁ ହେବ ନୂଆ ଭାରତର ନିର୍ମାଣ ପାଇଁ। ସୁପ୍ରିମ୍‌କୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏବେ ଦେଶର ସମସ୍ତ ନାଗରିକ ଉପରେ ରାମ ମନ୍ଦିର ନିର୍ମାଣର ଦ୍ଵାୟିତ୍ଵ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରାମ ମନ୍ଦିର ଉପରେ ଗୁରୁତ୍ଵପୂର୍ଣ୍ଣ ରାୟ ଆସିବା ପରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ନରେନ୍ଦ୍ର ମୋଦୀ। ସେ କହିଛନ୍ତି, “ଅଯୋଦ୍ଧା ଉପରେ ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି। ଏହା ପଛରେ ବହୁ ବର୍ଷର ଇତିହାସ ରହିଛି। ପୁରା ଦେଶ ଇଚ୍ଛା ଥିଲା କି ଏହି ମାମଲାରେ କୋର୍ଟରେ ପ୍ରତିଦିନ ଶୁଣାଣି ହେଉ। ହେଲେ ଆଜି ଏହାର ଶୁଣାଣି ଶେଷ ହୋଇଛି।”

ବିଶ୍ଵ ଦେଖିଲା ଭାରତର ଏକତା

ସେ ଆହୁରି ମଧ୍ୟ କହିଛନ୍ତି, “ଦେଶ ପାଇଁ ଖୁସି ଖବର କି ନିଷ୍ପତ୍ତି ସର୍ବସମ୍ମତିରେ ଆସିଛି। ବିବିଧତାରେ ଏକତାର ମନ୍ତ୍ର ଆଜି ସାରା ଦେଶରେ ଦେଖିବାକୁ ମିଳୁଛି। ହଜାର ବର୍ଷ ପରେ ମଧ୍ୟ କାହାକୁ ଯଦି “ବିବିଧତାରେ ଏକତା” ଭାରତର ଏହି ପ୍ରାଣ ତତ୍ତ୍ୱକୁ ବୁଝାଇବାକୁ ପଡେ ତେବେ ଆଜିର ଦିନର ଉଲ୍ଲେଖ ଅବଶ୍ୟ ହେବ।”

ସାରା ବିଶ୍ୱ ଏହା ଗ୍ରହଣ କରିଥାଏ ଯେ ଭାରତ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ କିନ୍ତୁ ଆଜି ବିଶ୍ୱ ଏହା ମଧ୍ୟ ଜାଣିଲା ଯେ ଭାରତର ଗଣତନ୍ତ୍ର କେତେ ଜୀବନ୍ତ ଏବଂ ମଜବୁତ। ଆଜି ରାୟ ପ୍ରକାଶ ପାଇବା ପରେ, ଯେପରି ଭାବେ ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ଧର୍ମ ଏବଂ ସାରା ଦେଶର ଲୋକମାନେ, ଖୋଲା ହୃଦୟରେ ଏହାକୁ ସ୍ୱୀକାର କଲେ। ଏହା ଭାରତର ପୁରାତନ ସଂସ୍କୃତି, ପରମ୍ପରା ଏବଂ ସୌହାର୍ଦ୍ଦ୍ୟ ଭାବନାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ।

ସୁପ୍ରିମ୍‌କୋର୍ଟଙ୍କୁ ଅଭିନ୍ଦନ ଜଣାଇଲେ

ସୁପ୍ରିମ୍‌କୋର୍ଟଙ୍କୁ ଅଭିନନ୍ଦନ ଜଣାଇ ମୋଦୀ କହିଛନ୍ତି, “ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିଥିଲେ। ଅତ୍ୟନ୍ତ ଧୈର୍ଯ୍ୟର ସହ ସର୍ବସମ୍ମତିକ୍ରମେ ଏହାର ରାୟ ଶୁଣାଇଥିଲେ। ଏହା ସରଳ କାର୍ଯ୍ୟ ନୁହେଁ। ସୁପ୍ରିମକୋର୍ଟ ଏହି ରାୟ ପଛରେ ଦୃଢ଼ ଇଚ୍ଛାଶକ୍ତି ବ୍ୟକ୍ତ କରିଛନ୍ତି। ସେଥିପାଇଁ ଦେଶର ନ୍ୟାୟାଧୀଶ, ନ୍ୟାୟାଳୟ ଏବଂ ଆମର ନ୍ୟାୟିକ ବ୍ୟବସ୍ଥା ଅଭିନନ୍ଦନ ପାଇବାର ହକଦାର।“

ନଭେମ୍ଵର ୯ ଭାରତ ପାଇଁ ସ୍ଵର୍ଣ୍ଣିମ ଦିନ

ଭାରତର ନ୍ୟାୟପାଳିକା ଇତିହାସରେ ମଧ୍ୟ ଆଜିର ଏହି ଦିନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭଳି। ୯ ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପାଚେରୀ ଧରାଶାୟୀ ହୋଇଥିଲା। ଦୁଇଟି ବିପରୀତ ବିଚାରର ଲୋକ ଏକଜୁଟ ହୋଇ ନୂତନ ସଂକଳ୍ପ ନେଇଥିଲେ। ସେହିପରି ଆଜି ୯ ନଭେମ୍ବରରେ ହିଁ କରତାରପୁର ସାହିବ କରିଡର ଆରମ୍ଭ ହୋଇଛି। ଏଥିରେ ଭାରତ ସହ ସହଯୋଗ କରିଛି ପାକିସ୍ତାନ। ଅନ୍ୟପକ୍ଷରେ ଆଜି ଅଯୋଦ୍ଧା ମାମଲାର ମଧ୍ୟ ରାୟ ଶୁଣାଣି ହୋଇଛି।

Comment