ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ବିବାଦୀୟ ଅଯୋଧ୍ୟା ମାମଲା ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଶନିବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ାର ଦସ୍ତାବିଜକୁ ଖାରଜ କରିଥିଲେ।

ଅଯୋଧ୍ୟା ମାମଲା ଉପରେ ନିର୍ମୋହୀ ଆଖଡ଼ା ଗତ ଅକ୍ଟୋବର ମାସରେ ନିଜର ଦସ୍ତାବିଜ୍ ଦାଖଲ କରିଥିଲା।

‘‘ବିବାଦୀୟ ଭୂମି ଓ ଏହାକୁ ଲାଗି ରହିଥିବା ଭୂମି ଉପରେ କେବଳ ଆମର ଅଧିକାର ରହିଛି। ରାମମନ୍ଦିରର ନିର୍ମାଣ ଓ ଏହାର ଦେଖାଶୁଣା କରିବାର ଅଧିକାର ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ାକୁ ପ୍ରଦାନ କରନ୍ତୁ’’ ଲିଖିତ ଭାବେ ନିର୍ମୋହି ଆଖଡ଼ା ସୁପ୍ରିମକୋର୍ଟରେ ଦାବି କରିଥିଲା।

୧୯୪୯ ମସିହାରେ ଡିସେମ୍ବର ୨୩  ତାରିଖରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଥିବା ମସଜିଦ୍ ପାଖରୁ ଭଗବାନ ଶ୍ରୀରାମଙ୍କର ଏକ ମୂର୍ତ୍ତି ମିଳିଥିଲା। ଏହାପରେ ସେଠାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଦାବି ଜୋର ଧରିଥିଲା।  ଏହାପରେ କୋର୍ଟ ଏହାକୁ ବିବାଦୀୟ ଭୂମି ବୋଲି ଘୋଷଣା କରି ମସଜିଦରେ ତାଲା ପକାଇ ଦେଇଥିଲା।

ଏହି ବିବାଦକୁ ନେଇ ୧୯୫୦ ମସିହାରେ ଫୈଜାବାଦ୍ ସିଭିଲ୍ କୋର୍ଟରେ ଦୁଇଟି ମାମଲା ଦାଖଲ ହୋଇଥିଲା। ଏହି ଦୁଇଟା ମାମଲାରେ ସେହି ବିବାଦୀୟ ସ୍ଥାନରେ ଭଗବାନ ରାମଙ୍କର ପୂଜା ଓ ସେଠାରେ ମୂର୍ତ୍ତି ରଖିବାକୁ ଅନୁମତି ମଗାଯାଇଥିଲା। ଏହି ଦୁଇଟି ମାମଲା ପରେ ନିର୍ମୋହୀ ଆଖଡ଼ା ଏ ସମ୍ବନ୍ଧରେ ତୃତୀୟ ମାମଲା ଦାୟର କରିଥିଲା। ନିର୍ମୋହୀ ଆଖଡ଼ାର ଏହି  ମାମଲାରେ ସେହି ବିବାଦୀୟ ଭୂମିକୁ ରାମ ଜନ୍ମଭୂମି ଘୋଷଣା ସହ ସେଠାରେ ପୂଜା କରିବା ପାଇଁ ଅନୁମତି ମଗାଯାଇଥିଲା।

ନିର୍ମୋହୀର ଏହି ମାମଲା ବିରୋଧରେ ୧୯୬୧ ମସିହାରେ ସୁନ୍ନୀ ୱାକଫ୍ ବୋର୍ଡ ମଧ୍ୟ ଏକ ମାମଲା ଦାୟର କରିଥିଲା ଯେଉଁଥିରେ ସେହି ବିବାଦୀୟ ସ୍ଥାନରୁ ରାମଙ୍କର ମୂର୍ତ୍ତି ହଟାଇବାକୁ କୁହାଯାଇଥିଲା। ଏହାପରେ ଏହି ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ପଡି ରହିଥିଲା।

ଶୁନିବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ସୁପ୍ରିମକୋର୍ଟ ନିର୍ମାହୀ ଆଖଡ଼ାର ଦସ୍ତାବିଜକୁ ଖାରଜ କରିବା ସହ ଏକ ଟ୍ରଷ୍ଟ ନିର୍ମାଣ କରି ଏହାକୁ ମନ୍ଦିର ନିର୍ମାଣ ଓ  ଏହାର ପରିଚାଳନା କରିବାର ଅଧିକାର ପ୍ରଦାନ କରିଛି।

ନିର୍ମୋହୀ ଆଖଡ଼ା କ’ଣ?

ନିର୍ମୋହୀ ଆଖଡ଼ା, ଅଖିଳ ଭାରତୀୟ ଆଖଡ଼ା ପରିଷଦର ୧୪ଟି ଆଖଡ଼ା ଭିତରୁ ଗୋଟିଏ। ଏଥିରେ ମୁଖ୍ୟତଃ ବୈଷ୍ଣବ ସଂପ୍ରଦାୟର ଲୋକ ରହିଥାନ୍ତି। ୧୯୫୯ ମସିହାରେ ବାବ୍ରି ମସଜିଦ୍ ଓ ଅଯୋଧ୍ୟାର ବିବାଦୀୟ ଜମି ଉପରେ ନିଜର ମାଲିକାନା ଜାହିର କରି ନିର୍ମୋହୀ ଆଖଡ଼ା ମାମଲା ଦାୟର କରିଥିଲା। ସେହିଦିନଠାରୁ ଏହି  ଆଖଡ଼ା ଚର୍ଚ୍ଚାରେ ରହିଆସିଥିଲା।

Comment