ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତାଙ୍କ ରାୟ ପ୍ରକାଶ କରିଥିବା ବେଳେ କାଶୀ ଓ ମଥୁରାକୁ ଯେଉଁ ବିବାଦ ଲାଗିରହିଛି ତାର ରାସ୍ତା ଏକ ରକମ ବନ୍ଦ କରିଦେଇଛନ୍ତି। ଅର୍ଥାତ ଏ ଦୁଇ ବିବାଦୀୟ ସ୍ଥାନ ଉପରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଏଠି ବି ପୂଜାର୍ଚ୍ଚନା କରିବା ନେଇ ବହୁ ଦିନ ଧରି ହିନ୍ଦୁ-ମୁସଲିମଙ୍କ ଭିତରେ ବିବାଦ ଲାଗିଛି।

ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ସମ୍ପର୍କିତ ରାୟ ପ୍ରକାଶ ସମୟରେ ୧୧ ଜୁଲାଇ ୧୯୯୧ର ସେହି ଆଇନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଆଇନଟି ହେଉଛି ପ୍ଲେସେସ୍ ଅଫ ୱରସିପ (ସ୍ପେସିଆଲ ପ୍ରୋଭିଜନ)ଆକ୍ଟ। ଏହି ଆଇନରେ ବାବରୀ ମସଜିଦ ରାମ ଜନ୍ମଭୂମି ବିବାଦକୁ ବାହାରେ ରଖା ଯାଇଥିଲା କାରଣ ଏହା ଉପରେ ଦୀର୍ଘ ଦିନ ଧରି ମାମଲା ଚାଲି ଆସିଥିଲା।

ବିଚାରପତି ମାନେ ଅଯୋଧ୍ୟା ରାୟ ଦେବା ବେଳେ ଦେଶର ଧର୍ମ ନିରପେକ୍ଷ ଚରିତ୍ର ବିଷୟ ଉଲ୍ଲେଖ କରିଥିଲେ। ବିଚାରପତିମାନେ ଏହି ରାୟରେ ସ୍ୱାଧୀନତା ସମୟରେ ଯେଉଁ ସବୁ ଧାର୍ମିକ ସ୍ଥଳ ଥିଲା ତାହାକୁ ସେହିଭଳି ସ୍ଥିତିରେ ସଂରକ୍ଷିତ ରଖିବା  ପାଇଁ ଜୋର ଦେଇଛନ୍ତି। ୧୯୯୧ର ସେହି ଆଇନରେ  ଅନ୍ୟ କୌଣସି ଧାର୍ମିକ ସ୍ଥଳ ଉପରେ ନୂଆ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।

Comment