ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦ୍‌ଯାପନୀ ଉତ୍ସବ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଶନିବାର ବିଶ୍ୱବିଦ୍ୟାଳୟର ଅଡିଟୋରିୟମ ହଲରେ ଏକ ବୈଠକ ବସିଥିଲା। ପ୍ଲାଟିନମ୍ ଜୁବୁଲିର ଉଦଯାପନୀ ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ଏହି ବୈଠକରେ ଆଲୋଚନା ହୋଇଛି।

ଆସନ୍ତା ୨୩ରୁ ୨୭ ତାରିଖ ଯାଏଁ ପାଞ୍ଚଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏହି ଉତ୍ସବର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ୍ କରିବେ। ସେହିପରି ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶେଷ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଉତ୍ସବ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଆଲୁମିନି ସଂଘର ସଂଯୋଜକ ବଛାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ପୁରୁଣା ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେବେ। କାର୍ଯ୍ୟକ୍ରମକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଯେଉଁଥିରେ ବଲିଉଡର ବହୁ କଳାକାରମାନେ ଯୋଗଦେବେ।

ଶନିବାର ବସିଥିବା ପ୍ରସ୍ତୁତି ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ, ବିଧାୟକ ସୁଶାନ୍ତ ରାଉତ, ଅମର ଶତପଥୀ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ସହ ବିଶ୍ୱବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comment