ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ସୋ’ ମ୍ୟାନ୍ ବସନ୍ତ ନାୟକ ପ୍ରଯୋଜକ ହିସାବରେ ଅନେକଗୁଡ଼ିଏ ସିନେମାର ପ୍ରଯୋଜନା କରିଥିଲେ ହେଲେ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶକର ମାନ୍ୟତା ପାଇଥିଲେ ଜାଣନ୍ତୁ ଏହାର ପରଦା ପଛର କାହାଣୀ

ଓଲିଉଡର ଖ୍ୟାତନାମା ପ୍ରଯୋଜକ ଥିଲେ ବସନ୍ତ ନାୟକ। ତାଙ୍କ ପ୍ରଯୋଜନା ସଂସ୍ଥାର ନାଁ ହେଲା ବ୍ରଜରାଜ ମୁଭିଜ୍। ସେ ଏହି ବ୍ୟାନରରେ ପ୍ରଥମେ ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ନାଗଫାସ’।

ଏହା ପରେ ବସନ୍ତ ନାୟକ କ୍ରମାଗତ ଭାବେ ‘ଦଣ୍ଡାବାଳୁଙ୍ଗା’, ‘ପକା କମ୍ବଳ ପୋତ ଛତା’, ‘ଯାହାକୁ ରଖିବେ ଅନନ୍ତ’, ‘ମା’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଯଶୋଦା’, ‘ମନ ରହିଗଲା ତୁମରିଠାରେ’, ‘ମୋ କୋଳ ତୋ ଝୁଲଣା’ ଆଦି ସିନେମା ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ବସନ୍ତ ନାୟକ ନିଜର ଦୁଇ ପୁଅ ବିଜୟ ନାୟକ ଓ ସଞ୍ଜୟ ନାୟକଙ୍କୁ ପ୍ରଯୋଜନାର ଗୁରୁଦାୟିତ୍ୱ ହସ୍ତାନ୍ତର କରିଥିଲେ। ‘ଏ ଯୁଗର କୃଷ୍ଣ ସୁଦାମା’ଠାରୁ ଆରମ୍ଭ କରି ‘୧୪୩ – ଆଇ ଲଭ ୟୁ’ ଯାଏଁ ସିନେମାର ଏ ଦୁଇ ଭାଇ ପ୍ରଯୋଜନା କରିଥିଲେ।

ଦୀର୍ଘ ୪୦ ବର୍ଷର କ୍ୟାରିଅର୍ ଭିତରେ ସ୍ୱର୍ଗତ ବସନ୍ତ ନାୟକ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶନା ଦେଇଥିଲେ, ଯାହାର ନାଁ ହେଉଛି ‘ନାଗଫାସ’। ସେ ଲକ୍ଷ୍ୟ କଲେ ଯେ ଓଡ଼ିଆରେ ମୁଖ୍ୟତଃ ପାରିବାରିକ ସିନେମା ନିର୍ମିତ ହେଉଛି। ପ୍ରଯୋଜକମାନେ ସସପେନ୍‌ସନଧର୍ମୀ ଫିଲ୍ମ ତିଆରି କରିବାକୁ ଆଗ୍ରହ ଦେଖାଉନାହାନ୍ତି।

ଅତୀତରେ ଯେଉଁସବୁ ରହସ୍ୟ ରୋମାଞ୍ଚ ଭରା ଓଡ଼ିଆ ଛବି ନିର୍ମିତ ହୋଇଛି, ତାକୁ ଓଡ଼ିଆ ଦର୍ଶକ ସହଜରେ ଗ୍ରହଣ ମଧ୍ୟ କରିନାହାନ୍ତି। ଏହି କାରଣରୁ ପ୍ରଯୋଜକ ବସନ୍ତ ନାୟକ ସ୍ଥିର କଲେ ଏକ ରହସ୍ୟ ରୋମାଭରା ମୁଭି ନିର୍ମାଣ କରିବେ। ସେ ସମୟର ଖ୍ୟାତନାମା କାହାଣୀକାର ତଥା ନିର୍ଦ୍ଦେଶକ ବିଶ୍ୱଜିତ ଦାସଙ୍କୁ ଦାୟିତ୍ୱ ଦେଲେ ବସନ୍ତ ନାୟକ। ଫିଲ୍ମର ଟାଇଟଲ୍ ରଖାଗଲା ‘ନାଗଫାସ’।

ଏହାର ନିର୍ଦ୍ଦେଶନା ଦେବାକୁ ମୁମ୍ବାଇରେ ରହୁଥିବା ଓଡ଼ିଆ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ଦାୟିତ୍ୱ ଦିଆଗଲା। ଏହା ପୂର୍ବରୁ ଶିଶିର ମିଶ୍ର ‘ସିନ୍ଦୂର ବିନ୍ଦୁ’ ଶୀର୍ଷକରେ ଏକ ସିନେମାର ନିର୍ଦ୍ଦେଶନା ଦେଇ ସାରିଥାନ୍ତି। ସେ ବମ୍ବେରୁ ଆସି ଫିଲ୍ମ ସ୍କ୍ରିପ୍ଟ କାମ ଆରମ୍ଭ କରିଥିଲେ। ମାତ୍ର ପରେ ‘ନାଗଫାସ’ ସିନେମା ପାଇଁ ବିଶେଷ ଆଗ୍ରହ ଦେଖାଇଲେ ନାହିଁ। ଏକଥା ବୁଝିବାକୁ ଡେରି ଲାଗିଲାନି ବସନ୍ତ ନାୟକଙ୍କୁ।

ତା’ପରେ ବସନ୍ତ ନାୟକ ପ୍ରଶାନ୍ତ ନନ୍ଦଙ୍କୁ ବି ‘ନାଗଫାସ’ର ଅଫର୍ ଦେଇଥିଲେ। ପ୍ରଶାନ୍ତ ନନ୍ଦ ଅନୁଭବ କରିଥିଲେ ଯେ ଏଭଳି କାହାଣୀ ଓଡ଼ିଶାରେ ଚାଲିବ ନାହିଁ। ଏଣୁ ସେ ବି ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ କୁଣ୍ଠାବୋଧ କରିଥିଲେ।

ଏହାପରେ ବସନ୍ତ ନାୟକ ନିର୍ଦ୍ଦେଶନା ଦେବାକୁ ଏକ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କରି ‘ନାଗଫାସ’ର ନିର୍ମାଣ କଲେ। ଏଥିରେ ତାଙ୍କୁ ଉତ୍ସାହିତ କରିଥିଲେ ଚରିସବୁଜ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ବସନ୍ତ ନାୟକଙ୍କ ସହପାଠୀ ଅକ୍ଷୟ ମହାନ୍ତି। ଏହାର ସିନେମାଟୋଗ୍ରାଫର୍ ରାଜନ୍ କିନ୍ନାରୀ ବି ବସନ୍ତ ନାୟକଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।

ଶେଷରେ ‘ନାଗଫାସ’ ପରଦାକୁ ଆସିଥିଲା। ଫିଲ୍ମଟି ସୁପରହିଟ୍ ବି ହେଲା। କିନ୍ତୁ ଏହାପରେ ସୋ’ ମ୍ୟାନ୍‌ ବସନ୍ତ ନାୟକ ଆଉ କୌଣସି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଇଛା କରି ନଥିଲେ।

Comment