ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନରେ ଓଡ଼ିଶା ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବାକୁ ଶାସକ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ସଜବାଜ ହେଉଛନ୍ତି।

ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ, କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତିଙ୍କ ଯୌନ ଶୋଷଣ, ଆବାସ ଦୁର୍ନୀତିକୁ ନେଇ ଏଥର ଗୃହ ଉଠିବ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ଗତ କିଛି ଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତ ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ସେ ଉପରେ ଏଯାଏଁ ପରଦା ହଟିନି। ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଏହି ଘଟଣାରେ ଜେଲ୍‌ ଯାଇଛନ୍ତି। ହେଲେ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି।

ଏହାକୁ କେନ୍ଦ୍ର କରି ବିଜେପି ଯାଜପୁର ବନ୍ଦ କରିବା ସହ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିଥିଲା। କଂଗ୍ରେସ ବି ପ୍ରତିବାଦ କରିଥିଲା। ଏହି ଘଟଣା ସିବିଆଇ ତଦନ୍ତ ଦାବି କରୁଛନ୍ତି ବିଜେପି ଓ କଂଗ୍ରେସ। ଏହି ମାମଲା ଉପରୁ ପରଦା ହଟି ନଥିବାରୁ ବିରୋଧୀ ଗୃହରେ ସ୍ମିତାରାଣୀ ମୃତ୍ୟୁ ମାମଲା ଉଠାଇ ସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସେହିପରି କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଦେବା ଅଭିଯୋଗରେ ଜେଲ୍‌ ଯାଇଛନ୍ତି। ପ୍ରମୋଦ ବିଜେଡିର ରାଜ୍ୟ ସମ୍ପାଦକ ହୋଇଥିବାରୁ ଘଟଣାକୁ ପୋଲିସ ୪ ମାସ ଧରି ଚାପି ରଖିଥିଲା। ଏହାକୁ ନେଇ ଗୃହରେ ବିରୋଧୀ ଝଡ଼ ସୃଷ୍ଟି କରିବେ ବୋଲି କୁହାଯାଉଛି।

ଅନ୍ୟପଟେ ବାତ୍ୟା ଫନି ଯିବାର ୫ ମାସ ହୋଇଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ କ୍ଷତି ପୂରଣ ଦିଆଯାଇ ନାହିଁ। ଏହାକୁ ନେଇ କ୍ଷତିଗ୍ରସ୍ତ ଲୋକଙ୍କ ମନରେ ଅସନ୍ତୋଷ ତେଜିଛି। ଏପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରୁଥିବା ବିଜେପି ଅଭିଯୋଗ କରୁଛି। ଏହି ଦୁଇଟି ପ୍ରସଙ୍ଗକୁ ମଧ୍ୟ ବିଜେପି ଗୃହରେ ଉଠାଇ ସରଗରମ କରିବାକୁ ଯୋଜନା କରିଛି।

ସେହିପରି 5-T ଓ ‘ମୋ ସରକାର’କୁ ମଧ୍ୟ ବିରୋଧୀ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଥିବା ବଜଣାପଡ଼ିଛି।

ବିରୋଧୀଙ୍କୁ ଚେକ୍‌ ଦେବା ପାଇଁ ଶାସକ ଦଳ ବି ରଣନୀତି ପ୍ରସ୍ତୁତ କରୁଛି। ଦରଦାମ ବୃଦ୍ଧି, ବେରୋଜଗାରୀ, କୋଇଲା ରୟଲ୍ଟି ବୃଦ୍ଧିକୁ ଅସ୍ତ୍ର କରିପାରେ ବିଜେଡି।

Comment