ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ନିର୍ବାଚନ ଲଢ଼ିବ।

ମହାରାଷ୍ଟ୍ରରେ ଶିବସେନା ବିଜେପିର ହାତ ଛାଡ଼ିବା ପରେ ଏବେ ଝାଡ଼ଖଣ୍ଡରେ ବିଜେପିର ହାତ ଛାଡ଼ିଛି ଏଲଜେପି ଦଳ। ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶୱାନ୍।

କେନ୍ଦ୍ରରେ ଏନଡିଏ ସରକାରର ଅଂଶଥିବା ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଝାଡ଼ଖଣ୍ଡରେ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ିବ। ବିଜେପି ସହ ଦଳର ସିଟ୍ ବୁଝାମଣା ହୋଇନପାରିବାରୁ ଦଳ ଏପରି ନିଷ୍ପତ୍ତି ନେଇଛି ବୋଲି ପାଶୱାନ୍ କହିଛନ୍ତି। ଦଳ ନିଜ ଦମରେ ରାଜ୍ୟର ୫୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏଲଜେପି ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ।

ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ସହ ମିଶି ଏଲଜେପି ପ୍ରାର୍ଥୀ ଦେବାର ଯୋଜନା ଥିଲା। ହେଲେ ବିଜେପି ବିନା କୌଣସି ବୁଝାମଣାରେ ରବିବାର ଦଳର ୫୨ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଇଛି। ଏହାପରେ ବିଜେପିଠାରୁ ଅଲଗା ହୋଇ ଝାଡ଼ଖଣ୍ଡରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି ଏଲଜେପି।

ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟର ସମସ୍ତ ୮୧ଟି ସିଟ୍‌ ପାଇଁ ଭୋଟ ଦେବେ ଭୋଟର୍‌।

Comment