ଓଡ଼ିଶାଲାଇଭ୍ ବ୍ୟୁରୋ

ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ବିରଳ ଅସ୍ତ୍ରୋପଚାର। ଏନେଇ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଜଗା-କାଳିଆଙ୍କ ଅସ୍ତ୍ରୋପଚାର କରିଥିବା ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭୁବନେଶ୍ୱର ସୋଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଶୋକ ମହାପାତ୍ର କହିଛନ୍ତି, “ଏହି ଅପରେସନ୍ ଆମ ପାଇଁ ଖୁବ୍ ଜଟିଳ ଓ ଆହ୍ୱାନପୂର୍ଣ୍ଣ ଥିଲା। ଏହା ଭାରତର ପ୍ରଥମ ସଫଳ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍) ସର୍ଜରୀ ଥିଲା। ଏହା ଲିମକା ବୁକ୍ ଅଫ୍ ରେକର୍ଡସ୍‌ର ୨୦୨୦ ସଂସ୍କରଣରେ ସ୍ଥାନ ପାଇବାକୁ ଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ସରକାର ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଯେଉଁ ସହଯୋଗର ହାତ ବଢ଼ାଇଥିଲେ ତାହା ନିଶ୍ଚିତ ଭାବେ ଗର୍ବର ବିଷୟ।

‘‘ଜଗାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାଳିଆର ସ୍ୱାସ୍ଥ୍ୟ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇହେବ ନାହିଁ। ଅସ୍ତ୍ରୋପଚାର ସମୟରେ କାଳିଆର ମସ୍ତିଷ୍କରେ ଏମ୍ସର ଭେନ୍ ବ୍ୟାଙ୍କରୁ ଗୋଟିଏ ଶିରା ଆଣି ସଂଯୋଗ କରାଯାଇଥିଲା। ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡରେ ମାତ୍ର ଗୋଟିଏ ହିଁ ଶିରା ଥିଲା। ତେଣୁ  ଅସ୍ତ୍ରପୋଚାର ସମୟରେ କାଳିଆ ମୁଣ୍ଡରେ ଆଉ ଗୋଟିଏ ଶିରା ସଂଯୋଗ କରିବାକୁ ପଡ଼ିଥିଲା। ଏହି ଶିରା ସଂଯୋଗ ପ୍ରକ୍ରିୟା ମଧ୍ୟ ସାରା ପୃଥିବୀରେ ପ୍ରଥମ’’, କହିଛନ୍ତି ପ୍ରଫେସର ଅଶୋକ ମହାପାତ୍ର।

୨୦୧୭ ମସିହାରେ ନୂଆଦିଲ୍ଲୀର ଏମ୍ସ ହସ୍ପିଟାଲରେ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଜଗା-କାଳିଆଙ୍କ ଅସ୍ତ୍ରେପଚାର ପାଇଁ ଦିଲ୍ଲୀ ଏମ୍ସର ୧୨୫ ଜଣ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରାଯାଇଥିଲା। ଏହି ଟିମର ନେତୃତ୍ୱ ନେଇଥିଲେ ପ୍ରଫେସର ଅଶୋକ କୁମାର ମହାପାତ୍ର।

ପ୍ରଫେସର ମହାପାତ୍ର ବର୍ତ୍ତମାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡି ଟୁ ବି ୟୁନଭର୍ସିଟି)ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଅଛନ୍ତି।

ଏହି ଜଟିଳ ଅସ୍ତ୍ରୋପଚାର ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ଅସ୍ତ୍ରୋପଚାର ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ କରାଯାଇଥିବା ବେଳେ ଦ୍ୱିତୀୟ ଅସ୍ତ୍ରୋପଚାର ଅକ୍ଟୋବର ୨୫ରେ ସଫଳ ହୋଇଥିଲା।

ଯୋଡ଼ାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର ବେଳେ ପ୍ରଫେସର ମହାପାତ୍ର ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱରେ ରହିଥିଲେ।

ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ‘‘ଦିଲ୍ଲୀ ଏମ୍‌ସରେ ସମସ୍ତ ସୁବିଧା ଓ ବିଶେଷଜ୍ଞମାନଙ୍କ ସହଯୋଗ ଯୋଗୁଁ ଏହି ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଥିଲା। ପ୍ରଫେସର ଦୀପକ କୁମାର ଗୁପ୍ତା ଏବଂ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସହଯୋଗ ଯୋଗୁଁ ଯୋଡ଼ା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିଲା।’’

ଜଗା-କାଳିଆଙ୍କ ଅପରେସନ୍‌ ପାଇଁ ଗଠିତ ଟିମ୍‌ ଆଲବର୍ଟ ଆଇନଷ୍ଟାଇନ୍‌ କଲେଜ ଅଫ୍‌ ମେଡିସିନ୍ସ, ବ୍ରୋନକ୍ସ ନ୍ୟୁୟର୍କର ବିଶିଷ୍ଟ ଶିଶୁ ରୋଗ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଜେମ୍ସ ଟି ଗୁଡ୍ରିକଙ୍କଠାରୁ ପରାମର୍ଶ ନେଇଥିଲେ। ପ୍ରଫେସର ଗୁଡ୍ରିକ୍‌ ପୂର୍ବରୁ ଏଭଳି ଦୁଇଟି ଅସ୍ତ୍ରୋପଚାର କରି ଅଭିଜ୍ଞତା ହାସଲ କରିଥିଲେ।

ଜଗା-କାଳିଆ ଦୁଇ ବର୍ଷ ଦିଲ୍ଲୀ ଏମ୍‌ସରେ ରହିବା ପରେ ଏବେ ଓଡ଼ିଶା ଫେରିଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସେମାନଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି।

Comment