ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକରେ ଦଳ ବଦଳ କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ ରହିବା ପରେ ସେଠାକାର ରାଜନୀତି ଏବେ ଗୋଳମାଳିଆ ହୋଇପଡ଼ିଛି। ଏଣେ ମହାରାଷ୍ଟ୍ରରେ ତ ବିଜେପି ଏକ ଘରକିଆ ହୋଇଛି, ତେଣେ କର୍ଣ୍ଣାଟକ ସଙ୍କଟ।

ବୁଧବାର ଦିନ ଏକ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କର୍ଣ୍ଣାଟକର ୧୭ ବିଧାୟକଙ୍କୁ ସେଠାକାର ପୂର୍ବ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିବା ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି। ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଯେଉଁ ରୁଲିଂ ଦେଇଥିଲେ ତାହା ସୁପ୍ରିମକୋର୍ଟରେ କାଟ ଖାଇଯାଇଛି। ଏହା ଫଳରେ ଅଯୋଗ୍ୟ ବିଧାୟକଙ୍କୁ ବଡ଼ ଧରଣର ଆଶ୍ୱସ୍ତି ମିଳିଛି। ସବୁଠାରୁ ବଡ଼ କଥା ହେଲା ସେମାନେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲଢ଼ିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ଏହି ୧୭ ଆସନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅବଶ୍ୟ ଏଥିଭିତରୁ ଦୁଇଟିରେ ନିର୍ବାଚନ ହେବ ନାହିଁ କାରଣ ସେ ଦୁଇଟି ନେଇ ହାଇକୋର୍ଟରେ ମାମଲା ପଡ଼ି ରହିଛି। ମନେ ପକାଇ ଦିଆଯାଇପାରେ ଯେ, ଏହି ଅସନ୍ତୁଷ୍ଟଙ୍କ ପାଇଁ ହିଁ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହୋଇଥିଲା। ଏହି ୧୭ ଜଣ ବିଧାୟକ ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଖେଳରେ ସେଠି ବିଜେପି ସରକାର ଗଠନ କରିନେଲା।

ବର୍ତ୍ତମାନ ଯେଉଁ ୧୫ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ସେଥିରେ ବିଜେପିକୁ ନିହାତି କମରେ ୬ଟି ଆସନ ଜିତିବାକୁ ପଡ଼ିବ। କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୨୨୪। ଦୁଇଟିରେ ମାମଲା ରହିଛି। ମହଜୁଦ ୨୦୭ ବିଧାୟକଙ୍କ ଭିତରୁ ବିଜେପିର ଅଛନ୍ତି ୧୦୬ ବିଧାୟକ। ଡିସେମ୍ବର ୫ ନିର୍ବାଚନ ପରେ ବିଧାନସଭାରେ ସଦସ୍ୟଙ୍କ ସଂଖ୍ୟା ୨୨୨ ହେବ (୨୦୭+୧୫)। ସରକାର ତିଷ୍ଠିବା ପାଇଁ ୧୧୨ ଜଣ ବିଧାୟକ ଦରକାର। ବିଜେପି ପାଖରେ ଏବେ ଅଛନ୍ତି ୧୦୬ ବିଧାୟକ। ଏଣୁ ବିଜେପିକୁ ଗୋଟିଏ ଛକା ମାରି ୬ ବିଧାୟକଙ୍କୁ ଜିତାଇବାକୁ ପଡ଼ିବ। ତେବେ ଯାଇ ଏଦୁୟୁରପ୍ପାଙ୍କ ସରକାର ବର୍ତ୍ତିବ। ଯାହା ଦେଖାଯାଉଛି ନିର୍ବାଚନ ହେବାକୁ ଥିବା ୧୫ ଆସନରେ ବିଜେପି କଂଗ୍ରେସର ଦଳ ବଦଳକାରୀଙ୍କୁ ହିଁ ଟିକେଟ ଦେବାକୁ ବାଧ୍ୟ ହେବ।

ସୁପ୍ରିମକୋର୍ଟଙ୍କ ଫଇସଲା ପରେ କର୍ଣ୍ଣାଟକରେ ବିଜେପିର ଟେନ୍‌ସନ୍‌ ବଢ଼ିଯାଇଛି।

Comment