ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ରାଜପଥ ଉପରେ ପରିବହନ ବିଭାଗ କର୍ମଚାରୀ ଗାଡ଼ି ଯାଞ୍ଚ କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟକିବା ବଦଳରେ କର୍ମଚାରୀଙ୍କୁ ମାଡ଼ି ଦେଇ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ପୋକରାପାଣି ନିକଟରେ ଘଟିଛି।

ଘଟଣାସ୍ଥଳରେ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ଏନ୍‌ଫୋର୍ସମେଣ୍ଟ ଭେଇକିଲର ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି।

ମଙ୍ଗଳବାର ସକାଳୁ ୨୦ନମ୍ବର ଜାତୀୟ ରାଜପଥ ପୋଖରୀପାଣି ନିକଟରେ ଆରଟିଓ କାର୍ଯ୍ୟାଳୟର କନିଷ୍ଠ ଏମ୍‌ଭିଆଇ କାହ୍ନୁଚରଣ ବାନାରା ଓ ଡ୍ରାଇଭର ବିଜୟ କୁମାର ମହାନ୍ତ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ବଡ଼୍‌ବିଲ୍‌ ପଟୁ ଆସୁଥିବା ୧୪ ଚକିଆ ଟ୍ରକ୍‌କୁ ବିଜୟ ଅଟକାଉଥିବା ବେଳେ ଟ୍ରକ୍‌ଟି ନ ଅଟକି ତାଙ୍କ ଉପରେ ଚଢ଼ାଇ ଦେଇଥିଲା। ସେଠାରେ ଉପସ୍ଥିତ ଥିବା କାହ୍ନୁଚରଣ ବିଜୟଙ୍କୁ ଉଦ୍ଧାର କରିବା ସମୟରେ ଟ୍ରକ୍‌ଟି ଫେରାର ହୋଇଯାଇଥିଲା।

ଘଟଣାସ୍ଥଳରେ ଟାଉନ୍‌ ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ତେବେ ଏହି ଘଟଣା ପରେ ପରିବାର ଲୋକେ ପହଞ୍ଚି ଡାକ୍ତରଖାନା ପରିସରରେ ହୋହଲ୍ଲା କରିଥିଲେ। ମୃତକଙ୍କ ପରିବାର ଲୋକେ ୨୫ ଲକ୍ଷର କ୍ଷତିପୂରଣ ଦାବି କରିବା ସହ ସ୍ଥାୟୀ ନିଯୁକ୍ତି  ପାଇଁ ଦାବି କରିଛନ୍ତି।

Comment