ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୭ ମାସ ଯାଏଁ ମାଛ ଧରା ବନ୍ଦ। ମତ୍ସ୍ୟଜୀବୀଙ୍କୁ ମିଳିବ କ୍ଷତିପୂରଣ।

ଆସନ୍ତା ମେ’ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ୨୦ କିଲୋମିଟର ଭିତରେ ମାଛ ଧରିବା ମନା। ଶୀତ ଋତୁରେ କଇଁଛମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଶୀତ ଋତୁରେ ପ୍ରଜନନ ପାଇଁ ଶହ ଶହ ଅଲିଭ୍‌ ରିଡ୍‌ଲେ କଇଁଛ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ନେଇ ରାଜ୍ୟ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ଆଗାମୀ ୭ ମାସ ଯାଏଁ ଉପକୂଳରେ ମାଛ ଧରିବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କଇଁଛମାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ଉପକୂଳରେ ୬୬ଟି କ୍ୟାମ୍ପ ନିର୍ମାଣ କରାଯିବ। ରାଜ୍ୟର ଋଷିକୁଲ୍ୟା, ଗହରୀମଥା ଏବଂ ଦେବାନଦୀ ମୁହାଣରେ ଏହି କ୍ୟାମ୍ପ କରାଯିବ। କଇଁଛମାନେ କିପରି ସୁରକ୍ଷିତ ଭାବେ ପ୍ରଜନନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ପରିବାରଙ୍କୁ ମାସିକ ୭,୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ପିସିସିଏଫ୍‌ ୱାଇଲ୍‌ଡ ଲାଇଫ୍‌ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।

Comment