ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ ଦାସବର୍ମାଙ୍କୁ ଥଇଥାନ କରିବା ପାଇଁ ବିଜେଡିରେ ନୂଆ ପଦବୀ।

ବିଜୁ ଜନତା ଦଳ ଗଠନକୁ ୨୨ ବର୍ଷ ପୂରିଲାଣି। ୨୨ ବର୍ଷ ଭିତରେ ଯାହା ହୋଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି। ସଙ୍ଗଠନ କଥା ବୁଝିବା ପାଇଁ ଦଳରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀ ରହିଥିଲା। ହେଲେ ପ୍ରଥମ ଥର ପାଇଁ ସଙ୍ଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ପଦବୀ ସୃଷ୍ଟି କରାଯାଇଛି।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସଙ୍ଗଠନ ସମ୍ପାଦକ ଦାୟିତ୍ୱରେ ରଖା ଯାଇଥିବା ବେଳେ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଦାୟିତ୍ୱରେ ସଞ୍ଜୟ ଦାସବର୍ମାଙ୍କୁ ରଖାଯାଇଛି। ତେବେ ପ୍ରଶ୍ନ ଉଠୁଛି ଏହି ଦୁଇଟି ପଦବୀ କାହିଁକି ସୃଷ୍ଟି କରାଗଲା? କେବଳ ପ୍ରଣବ ଏବଂ ସଞ୍ଜୟଙ୍କୁ ଥଇଥାନ କରିବା ପାଇଁ ଏହି ନୂଆ ପଦବୀ ସୃଷ୍ଟି କରାଗଲା କି ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ତିନି ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସଙ୍ଗଠନ ସମ୍ପାଦକ ପଦବୀରେ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ମୁଖ୍ୟାଳୟ ପଦବୀରେ ସଞ୍ଜୟ ଦାସବର୍ମା ଏବଂ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ପ୍ରତାପ ଦେବଙ୍କୁ ଦାୟିତ୍ୱ ଦିଆଯାଇଛି।

ପ୍ରତାପ ଦେବ ଗତ ଥର ବି ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଥିଲେ। ସେ ସୁରୁଖୁରୁରେ ସାଙ୍ଗଠନିକ ନିର୍ବାଚନ ପରିଚଳନା କରିଥିଲେ। ଆଗକୁ ଆସୁଛି ବିଜେଡିର ସାଙ୍ଗଠନିକ ନିର୍ବାଚନ। ଏହି ନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପୁଣି ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି। ହେଲେ ପ୍ରଣବ ଏବଂ ସଞ୍ଜୟଙ୍କୁ କାହିଁକି ଗୁରୁ ଦାୟିତ୍ୱ ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କାହିଁକି ପ୍ରଣବଙ୍କୁ ନୂଆ ପଦବୀ?

୨୦୦୯ରେ ପ୍ରଥମ ଥର ପାଇଁ ପ୍ରଣବ ପ୍ରକାଶ ଦାସ ଯାଜପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ଅଶୋକ ଦାସ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଦଳରେ ତାଙ୍କର ଗୁରୁତ୍ୱ ବଢ଼ିଥିଲା। ୨୦୦୯ରେ ପ୍ରଥମ ଥର ପାଇଁ ପ୍ରଣବ ବିଧାୟକ ହୋଇଥିବାରୁ ଦଳରେ ତାଙ୍କର ବେଶି ଦବ୍‌ଦବା ନଥିଲା। ହେଲେ ୨୦୧୪ ନିର୍ବାଚନ ପରେ ପ୍ରଣବ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବାରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ମିଳିଥିଲା। କେବଳ ପ୍ରଣବ ନୁହନ୍ତି, ନବୀନଙ୍କ ଯୁଗ ବ୍ରିଗେଡର ଭାବେ ପରିଚିତ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ବି ମନ୍ତ୍ରୀ ପଦ ପାଇଥିଲେ।

ହେଲେ ୨୦୧୭ରେ ଏହି ଯୁବ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଗଲା। ଦଳୀୟ ସଙ୍ଗଠନ କଥା ବୁଝିବା ପାଇଁ ଏମାନେ ଇସ୍ତଫା ଦେଇଥିଲେ। ଏହି ଯୁବ ନେତାମାନଙ୍କୁ ସାଙ୍ଗଠନିକ ଦାୟିତ୍ୱରେ ରଖା ଯାଇଥିଲା। ପ୍ରଣବ ଏବଂ ସଞ୍ଜୟ ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ହେଲେ ପ୍ରଣବଙ୍କ ପ୍ରଭାବ ଦଳ ଭିତରେ ବଢ଼ିଥିଲା।

୨୦୧୯ ନିର୍ବାଚନ ବେଳେ ଦଳ ଏବଂ ସରକାର ଭିତରେ ପ୍ରଣବ ଯୋଗସୂତ୍ର ରକ୍ଷା କରୁଥିବା ଚର୍ଚ୍ଚା ହେଲା। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଣବ ଆଗରେ ରହୁଥିଲେ। ସବୁବେଳେ ଗଣମାଧ୍ୟମଠାରୁ ଦୂରତା ରକ୍ଷା କରୁଥିବା ପ୍ରଣବ ପରଦା ପଛରେ ରହି ଦଳରେ ଗୋଟି ଚାଳନା କରୁଥିବା ପାୱାର କରିଡରରେ ଆଲୋଚନା ହେଉଛି।

୨୦୧୯ ନିର୍ବାଚନ ଏବଂ ପାଟକୁରା ଓ ବିଜେପୁର ଉପନିର୍ବାଚନ ବେଳେ ବି ପ୍ରଣବ ପ୍ରଛଦପଟ୍ଟରେ ରହିଥିବା ଚର୍ଚ୍ଚା ହେଉଥିଲା। ଏଣୁ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଣବଙ୍କ ପାଇଁ ନୂଆ ପଦବୀ ଖୋଲା ଯାଇଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ବିଜେଡିରେ ସଙ୍ଗଠନ ସମ୍ପାଦକ ପଦବୀ ହେଉଛି ସମ୍ପୂର୍ଣ୍ଣ ନୂଆ। ଏହି ପଦବୀ କେବଳ ବିଜେପିରେ ହିଁ ରହିଛି। ସଂଘ ପରିବାରର ଜଣେ ସଦସ୍ୟଙ୍କୁ ଏହି ପଦବୀରେ ରଖାଯାଇଥାଏ। ହେଲେ ବିଜେଡିରେ ଏହି ପଦବୀ ଖୋଲାଯିବା ସହ ପ୍ରଣବଙ୍କୁ ଦାୟିତ୍ୱ ଦିଆଯାଇ ଥିବାରୁ ଦଳର ସ୍ଥିତି କ’ଣ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

ସଞ୍ଜୟଙ୍କୁ ପୁରସ୍କାର

ନବୀନଙ୍କ ଯୁବ ଟିମ୍‌ର ଅନ୍ୟତମ ପ୍ରମୁଖ ନେତା ହେଉଛନ୍ତି ସଞ୍ଜୟ ଦାସବର୍ମା। ତାଙ୍କ ହାତରେ ଦୀର୍ଘ ଦିନ ହେଲା ବିଜେଡିର ଯୁବ ସଭାପତି ପଦ ରହିଥିଲା। ବ୍ରହ୍ମଗିରି ବିଧାନସଭା ଆସନରୁ ସେ ୨୦୦୯, ୨୦୧୪ରେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ମଧ୍ୟ ସଞ୍ଜୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ୨୦୧୭ରେ ତାଙ୍କୁ ସାଙ୍ଗଠନିକ କାମ ପାଇଁ ଇସ୍ତଫା ଦେବାକୁ ପଡ଼ିଥିଲା।

୨୦୧୯ରେ ବ୍ରହ୍ମଗିରି ଆସନରୁ ପୁଣି ଲଢ଼ିଥିଲେ ସଞ୍ଜୟ। ହେଲେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ନିକଟରେ ବିଜେପୁର ଉପନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନ ପାଇଁ ସଞ୍ଜୟଙ୍କ ଉପରେ ଗୁରୁ ଦାୟିତ୍ୱ ଦେଇଥିଲେ ନବୀନ। ବିଜେପୁର ପାଇଁ ଗଠନ ହୋଇଥିବା ସମନ୍ୱୟ କମିଟିରେ ସଞ୍ଜୟ ସଦସ୍ୟ ରହିଥିଲେ। ବିଜେଡି ବିଜେପୁରରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲା।

ଏହି ବିଜୟ ପାଇଁ ନବୀନ ସମସ୍ତ କର୍ମକର୍ତ୍ତା ଏବଂ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ବିଜେପୁର ପାଇଁ ଯେଉଁମାନେ ଦିନରାତି ଏକ କରିଥିଲେ ସେମାନଙ୍କୁ ନବୀନ ପୁରସ୍କୃତ କରିପାରନ୍ତି ବୋଲି କୁହାଗଲା। ଏହା ଆଜି ପ୍ରତିଫଳିତ ହୋଇଛି। ଦାସବର୍ମାଙ୍କ ପାଇଁ ବିଜେଡିରେ ନୂଆ ପଦବୀ ଖୋଲାଯାଇ ପୁରସ୍କୃତ କରାଯାଇଥିବା ଚର୍ଚ୍ଚା ହେଉଛି।

ପ୍ରତାପ ଦେବ ଆଗରୁ ଦଳର ମୁଖପାତ୍ର ରହିଥିଲେ। ଦଳ ପ୍ରତି ଯେତେବେଳେ ବିପଦ ଦେଖାଦିଏ ସେତେବେଳେ ପ୍ରତାପ ହିଁ ସଙ୍କଟମୋଚକ ଭାବେ ମିଡିଆ ଆଗରେ ମନ୍ତବ୍ୟ ଦିଅନ୍ତି। ଏଣୁ ତାଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ହେଲେ ପ୍ରଣବ ଏବଂ ସଞ୍ଜୟଙ୍କ ପାଇଁ ଯେଉଁ ନୂଆ ପଦବୀ ଖୋଲା ଯାଇଛି ତାହା ଆଗକୁ କ’ଣ ହେଉଛି ଦେଖିବାକୁ ବାକି ରହିଲା।

Comment