ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଥିବା ଦାଦନ ଶ୍ରମିକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଦାଦନ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ମଧ୍ୟ ଯୋଗାଇ ଦିଆଯିବ। ଏନେଇ ଏକ ଯୋଜନା ପ୍ରସ୍ତୁତ କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

ଲୋକମାନେ ଦାଦନ ନ ଖଟିବାକୁ ଲୋକକଳା ଅଭିନୟ ମାଧ୍ୟମରେ ସଚେତନ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ୟୁନିସେଫର ମିଳିତ ଅନୁକୁଲ୍ୟରେ ତିନିଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଥିଲେ, “ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ସାମାଜିକ ଜୀବନ, କୃଷିର ଉନ୍ନତି ଏବଂ ବିଭିନ୍ନ କ୍ଷେତ୍ରରେ ଦୃଷ୍ଟି ଦେବା ଉଚିତ୍। ଫଳରେ ଦାଦନ ଶ୍ରମିକ ସଂଖ୍ୟା କମ୍ ହୋଇପାରିବ।”

ଏଥିପାଇଁ ମନରେଗା ଯୋଜନା ସାହାଯ୍ୟରେ ବର୍ଷକୁ ୨୦୦ଦିନ କାମ ଯୋଗାଇ ଦିଆଯିବ। ଏହାସହ ପାରିଶ୍ରମିକ ବାବଦରେ ସେମାନଙ୍କୁ ଦିନକୁ ୨୮୮ଟଙ୍କା ପ୍ରଦାନ କରାଯିବ ବୋଲି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୧୦୦ ଲୋକକଳା କଳାକାରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି କଳାକାରମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେବା ପରେ ସେମାନେ ଯାଇ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରିବେ।

ଏହି ତିନି ଦିନିଆ ତାଲିମ୍ ଓ ଅଭିମୂଖୀକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ମାନସ ରଞ୍ଜନ ଦେବତା ,ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Comment