ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଦେଶକୁ ଆଗକୁ ନେବା ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଆବଶ୍ୟକ। ପ୍ରଯୁକ୍ତି ବିଦ୍ୟା ସହିତ ଜ୍ଞାନ ଏବଂ ଅଭିନବ ଗବେଷଣାର ଆବଶ୍ୟକତା ରହିଛି’’, କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନିତିନ୍ ଗଡକରି।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଷଷ୍ଠ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ନିତିନ୍‌ ଗଡକରି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଗବେଷଣା କ୍ଷେତ୍ରରେ ସୋଆର କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ଗଡ଼କରି କହିଥିଲେ, ‘‘ଏହି ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ଅବଦାନ ରହିଛି। ଅନ୍ତର୍ଜାତୀୟ ସ୍ତରରେ ସୋଆ ପାଇଥିବା ରାଙ୍କିଙ୍ଗ୍‌ ବେଶ୍‌ ପ୍ରଶଂସନୀୟ।’’

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋଆର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା, କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

ସୋଆର କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ବିବରଣୀ ପ୍ରଦାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ତଥା କୋଲକତାସ୍ଥିତ ବିର୍ଲା ପ୍ଲାନେଟୋରିୟମର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ଦୁଆରୀଙ୍କୁ ଅନରିସ୍ କଜା (ଡକ୍ଟର ଅଫ ସାଇନ୍ସ) ଉପାଧି ପ୍ରଦାନ କରାଯାଇଥିଲା।

ଗବେଷଣା କାର୍ଯ୍ୟକୁ ଅଧିକ ଦୃଢୀଭୂତ କରିବା ପାଇଁ ସୋଆରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୩୮ଟି ଗବେଷଣା ଲାବୋରେଟୋରୀ ରହିଥିବାରୁ ଶ୍ରୀ ଗଡକରି ଖୁସି ବ୍ୟକ୍ତ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ, ‘‘ଯଦିଓ ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି ତେବେ ଏହା ଯଥେଷ୍ଟ ନୁହେଁ। ଆମକୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ସହ ଏ ଦିଗରେ ଜ୍ଞାନ ଆହରଣ କରିବାକୁ ପଡ଼ିବ। ଆମକୁ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ଆମେ ଈଶ୍ୱରୀୟ ଶକ୍ତିର ଅଂଶ ଯିଏ କି ସାରା ବିଶ୍ୱକୁ ଗଢ଼ିଛନ୍ତି ଏବଂ ଆମକୁ ମଧ୍ୟ ପୃଥିବୀକୁ ପଠାଇଛନ୍ତି।’’

ବାଇବେଲ୍‌କୁ ଉଦ୍ଧୃତ କରି ରାଜ୍ୟପାଳ କହିଥିଲେ ଯେ ଈଶ୍ୱର ମଣିଷକୁ ତାଙ୍କ ପ୍ରତିମୂର୍ତ୍ତିରେ ହିଁ ଗଢ଼ିଛନ୍ତି।  ତେଣୁ ମଣିଷର ଖୁସି ରହିବା ଛଡା ଅନ୍ୟ କୌଣସି ପନ୍ଥା ନାହିଁ। ସମସ୍ତଙ୍କୁ ଭଲ ପାଇବା ସହ ଗ୍ରହଣ କରିବା ଆବଶ୍ୟକ ବୋଲି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆକୁ ଏକ ସମ୍ମାନ ଜନକ ବିଶ୍ୱବିଦ୍ୟାଳୟ ଭାବେ ବର୍ଣ୍ଣନା କରିଥିଲେ।

‘‘ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସୋଆ ନିଜର ପରିଚୟ ହାସଲ କରିଛି। ବିଶ୍ୱବିଦ୍ୟାଳୟ ନିଜର ନୂତନ ଚିନ୍ତାଧାରା ଆଣିବା ସହ ନିୟମ ପ୍ରଣେତାମାନଙ୍କୁ ଏହାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବା ଉଚିତ। ଓଡ଼ିଶାରେ ପ୍ରାଚୁର୍ଯ୍ୟର ଅଭାବ ନାହିଁ। ତେବେ ବିଶ୍ୱ ବିଦ୍ୟାଳୟମାନେ ସେମାନଙ୍କର ବୁଦ୍ଧି ପ୍ରୟୋଗ କରି ରାଜ୍ୟକୁ କିଭଳି ଆଗେଇ ନେବେ ସେ ଦିଗରେ ସାହାଯ୍ୟ କରିବା ଉଚିତ’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଥିଲେ, ‘‘ଏହି ବିଶ୍ୱବିଦ୍ୟାଳୟ ଖୁବ୍ ଦ୍ରୁତ ଗତିରେ ଆଗେଇ ଚାଲିଛି। ରାଜ୍ୟରେ ପରିବେଶ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ତଥା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଏକ ଉତ୍ତମ ନିଷ୍ପତ୍ତି।’’

ସୋଆ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ କହିଥିଲେ, ‘‘ଭାରତର ଅର୍ଥନୈତିକ ବିକାଶ ଓ ଦେଶର ଉନ୍ନତି ସହିତ ଶିକ୍ଷା ବ୍ୟବସ୍ଥା ଏବଂ ଦକ୍ଷତା ବିକାଶର ସମ୍ପର୍କ ରହିଛି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପରେ କ’ଣ ପାଠ ପଢ଼ିଛନ୍ତି ତାହା ଭୁଲି ଯାଉଛନ୍ତି। ଏହା ଶିକ୍ଷା ବ୍ୟବସ୍ଥାର ଏକ ମୌଳିକ ତ୍ରୁଟି।’’

୨୦୧୮-୧୯ ଲଗାତାର ୨ ବର୍ଷ ଧରି ସୋଆ ସାରା ଦେଶରେ ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଟାଇମ୍ସ ହାୟର ଏଜୁକେସନ ୱାର୍ଲ୍ଡ ରାଙ୍କିଙ୍ଗ୍‌ରେ ମଧ୍ୟ ୬୦୦+ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ନେଇ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସୂଚନା ଦେଇଥିଲେ। ସେହିପରି  ଚଳିତ ବର୍ଷ କ୍ୟୁଏସ୍‌ ଇଣ୍ଡିଆ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୫୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ୟୁଜିସି ଦ୍ୱାରା ଗ୍ରେଡେଡ୍‌ ଅଟୋନୋମୀର ମାନ୍ୟତା ପାଇଛି। ଏହାର ୩ଟି ବୈଷୟିକ କାର୍ଯ୍ୟକ୍ରମ ଯୁକ୍ତରାଷ୍ଟ ଆମେରିକାର ଆକ୍ରେଡିଏସନ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ)ର ମାନ୍ୟତା ପାଇଛି।

ସମାବର୍ତ୍ତନ ଉତ୍ସବରେ ୧୬୭ ଜଣଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୪ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଏବଂ ୧୩୨ ଜଣଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୪ ହଜାର ୫୪୨ ଜଣ ସ୍ନାତକ ଏବଂ ୧୨୪୩ ଜଣ ସ୍ନାତୋକତ୍ତରଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଥିଲା।

Comment