ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଅଯୋଧ୍ୟାରେ ମସିଜିଦ୍‌ ପାଇଁ ୫ ଏକର ଜମି ଗ୍ରହଣୀୟ ନୁହେଁ। ଯେଉଁଠି ମସଜିଦ୍‌ ଥିଲା ସେଇଠି ମସଜିଦ୍‌ ଦରକାର। ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାମଲାର ପୁନଃ ବିଚାର ପାଇଁ ଆବେଦନ କରାଯିବ” ଏକଥା କହିଛି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ମନ୍ଦିର ସପକ୍ଷରେ ଆସିବା ପରେ ରବିବାର ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ଏକ ବୈଠକ ବସିଥିଲା। ବୈଠକ ପରେ ଅଯୋଧ୍ୟା ମାମଲାର ପୁନଃ ବିଚାର ପାଇଁ ଆବେଦନ କରାଯିବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ବୋର୍ଡ ପକ୍ଷରୁ କୁହାଯାଇଛି, “ସୁପ୍ରିମକୋର୍ଟ ମାନିଛନ୍ତି ଯେ, ବିବାଦୀୟ ଜମି ଉପରେ ନମାଜ ପଢ଼ାଯାଉଥିଲା ଏବଂ ଗମ୍ବୁଜ ତଳେ ଜନ୍ମସ୍ଥାନ ଥିବାର କୌଣସି ପ୍ରମାଣ ମିଳିନାହିଁ। ବାବ୍ରୀ ମସଜିଦ୍‌ର ନ୍ୟାୟ ପାଇଁ ଆମେ କୋର୍ଟ ଯାଉଥିଲୁ। ହେଲେ ସୁପ୍ରିକୋର୍ଟଙ୍କ ରାୟରେ ଅନେକ ଦୁର୍ବଳତା ରହିଛି। ଅଯୋଧ୍ୟାରେ ମସିଜିଦ୍‌ ପାଇଁ ୫ ଏକର ଜମି ଗ୍ରହଣୀୟ ନୁହେଁ। ଯେଉଁ ଜମି ପାଇଁ ଲଢ଼େଇ ଚାଲିଥିଲା ଆମକୁ ସେହି ଜମି ଦରକାର।”

Comment