ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମାମୁ କିଏ? ଏହାକୁ ନେଇ ଆଜି ବିବାଦ ତେଜିଛି। ନିଆଳି ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ନୁହନ୍ତି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିବା ପରେ ଏହି ବିବାଦ ତେଜିଛି।

ପଢୁଆ ଅଷ୍ଟମୀରେ ମହାପ୍ରଭୁଙ୍କୁ ପଢୁଆଁ କରିବା ପାଇଁ ମଙ୍ଗଳବାର ଦିନ ନିଆଳି ମାଧବ ମନ୍ଦିରରୁ ଆସିଥିଲା ଭାର। ବଡ଼ଦାଣ୍ଡରେ ଶହ ଶହ ଭକ୍ତ ନିଆଳିରୁ ଏହି ଭାର ଆଣି ଆସିଥିଲେ। ବିରାଟ ପଟୁଆରରେ ଏହି ଭାରକୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ଏହି ଭାରକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ।

ନିଆଳି ମାଧବ ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିରର କୌଣସି ସମ୍ପର୍କ ନାହିଁ। ଏହାସହ ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ବୋଲି କୌଣସି ତଥ୍ୟ ପ୍ରମାଣ ନାହିଁ କହି ଏହି ଭାର ଗ୍ରହଣ କରିବାକୁ ମନା କରି ଦେଇଥିଲେ ଶ୍ରୀମନ୍ଦିର। କେବଳ ଭକ୍ତମାନେ ଏହି ଭାର ଆଣି ଥିବାରୁ ଏହାକୁ ଗ୍ରହଣ କରାଯାଇଥିଲା।

ଏପଟେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ଯୁକ୍ତିକୁ ଗ୍ରହଣ କରିପାରୁ ନାହାନ୍ତି ମାଧବାନନ୍ଦଜୀଉ ଟ୍ରଷ୍ଟର ସଦସ୍ୟ। ପ୍ରଚଳିତ ଲୋକ କଥା ଏବଂ ମଙ୍ଗଳା ପୂରାଣ ଓ ପ୍ରାଚୀ ପୂରାଣରେ ଏହା ବର୍ଣ୍ଣିତ ଥିବା କହିଛନ୍ତି ଟ୍ରଷ୍ଟ ସଦସ୍ୟ। ହେଲେ ଏହା ବଳିଷ୍ଠ ପ୍ରମାଣ ନୁହେଁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ।

ନିଆଳିରୁ ଭାର ଆଣି ଆସିଥିବା ଭକ୍ତମାନେ କହିଥିଲେ ଯେ ଏହି ପରମ୍ପରା ୧୨୨୬ ଖ୍ରୀଷ୍ଟାବ୍ଦରୁ ପ୍ରଚଳିତ ହୋଇ ଆସୁଥିଲା। କିନ୍ତୁ କିଛି ବର୍ଷ ହେଲା ଏହି ପରମ୍ପରା ବନ୍ଦ ରହିଥିଲା। ଚଳିତ ବର୍ଷ ଏହି ପରମ୍ପରା ପୁଣିଥରେ ଆରମ୍ଭ କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏହି ଯୁକ୍ତି ପରେ ନିଆଳିରୁ ଆସିଥିବା ଭକ୍ତଙ୍କୁ ଝଟ୍‌କା ଲାଗିଛି।

Comment