ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ରାଜ୍ୟର ଗୌରବ ପୁଣି ବୃଦ୍ଧି କରିଛନ୍ତି ପେପରମ୍ୟାନ ଶଶାଙ୍କ ଶେଖର ଦାଶ। ୪ର୍ଥ ଥର ଲାଗି ଲିମ୍‌କା ବୁକ୍ ଅଫ ରେକର୍ଡସ୍‌ ପାଇଁ ମନୋନୀତ ହୋଇଛନ୍ତି ପେପରମ୍ୟାନ ଶଶାଙ୍କ। ଲିମ୍‌କା ବୁକ୍ ଅଫ ରେକର୍ଡ଼ସ୍ ପକ୍ଷରୁ ଇ-ମେଲ ଯୋଗେ ଶଶାଙ୍କ ଶେଖର ଦାଶଙ୍କୁ ଏହି ଖବର ଦିଆଯାଇଛି। ସର୍ବାଧିକ ବିଦେଶୀ ଖବରକାଗଜ ସଂଗ୍ରହ କରିପାରିଥିବାରୁ ତାଙ୍କୁ ଏହି ରେକର୍ଡ଼ ପ୍ରଦାନ କରାଯିବ।

ଏହାସହ ତାଙ୍କ ନାଁ ଲିମ୍‌କା ରେକର୍ଡସ୍‌ ବହି-୨୦୨୦ରେ ସ୍ଥାନିତ ହେବ ବୋଲି ଲିମ୍‌କା ବୁକ ଅଧିକାରୀ ଟ୍ରେସା ବେଞ୍ଜାମିନ ସୂଚନା ଦେଇଛନ୍ତି। ପୂର୍ବରୁ ପେପରମ୍ୟାନ ତଥା ଅର୍ନ୍ତଜାତୀୟ ଗାନ୍ଧୀ ପିସ ଫାଉଣ୍ଡେସନର ଆମ୍ବାସାଡ଼ର ଶଶାଙ୍କ ଶେଖର ଦାଶଙ୍କ ନାମ ୨୦୧୩ ଓ ୨୦୧୯ ଲିମ୍‌କା ବୁକ୍‌ରେ ସ୍ଥାନିତ ହୋଇଥିଲା। ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡ଼ କରିଥିଲେ। ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ସଂଗ୍ରହ କରିବା ପାଇଁ ତାଙ୍କୁ ଏହି ରେକର୍ଡ଼ ପ୍ରଦାନ କରାଯାଇଥିଲା।

ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜର ନାମ ଲିମ୍କା ବୁକରେ ସ୍ଥାନିତ କରିଥିଲେ। ଏହି ରେକର୍ଡ଼ ତାଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ ସେ ଯେଉଁ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ତା’ର କାମ ବଢ଼ିଗଲା ବୋଲି ଶଶାଙ୍କ କହିଛନ୍ତି।

ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ କରାଇପାରିଥିବା ଶଶାଙ୍କ ଶେଖର ଦାଶ ନିଜ ପତ୍ନୀ ରାଧାରାଣୀ ଓ ପୁତ୍ର ସାଇବ୍ରତ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିବା ସହ କିଛି ପୁରୁଣା ଖବରକାଗଜର ନମୁନା କପି ଦେଖାଇଥିଲେ। ଓଡ଼ିଶାର ପ୍ରଥମ ଖବରକାଗଜ “ଉକ୍ରଳ ଦୀପିକା” ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ।

ଏହାମଧ୍ୟରେ ଶଶାଙ୍କ ୧୦୬ଟି ଦେଶର ୯୧ଟି ଭାଷାର ୪ ହଜାର ୪୧୪ଟି ଖବରକାଗଜ ସଂଗ୍ରହ କରିଛନ୍ତି। ଏହାସହ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରି ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାଁରେ “ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର” ପ୍ରତିଷ୍ଠା କରିଛନ୍ତି। ଲିମ୍‌କା ବୁକ ରେକର୍ଡ଼ ଓ ଇଣ୍ଡିଆ ବୁକରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବଶୀଘ୍ର ଗିନିଜ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି।

Comment