ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ପାଖରେ ୧୫ବର୍ଷ ତଳର ପୁରୁଣା ଗାଡ଼ି ଅଛି କି? ତେବେ ସାବଧାନ୍, ଏପରି ଗାଡ଼ି ଚଲାଉଥିଲେ ଆପଣଙ୍କୁ ଲାଗିପାରେ ମୋଟା ଅଙ୍କର ଜରିମାନା। ଆସନ୍ତା ଡିସେମ୍ବର ୧ରୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ନୂଆ ମୋଟର ଯାନ ଆଇନ୍ ଲାଗୁ କରିବାକୁ ଯାଉଛନ୍ତି। ନୂଆ ନିୟମ ଅନୁସାରେ ୧୫ବର୍ଷରୁ ଅଧିକ ବର୍ଷର ଗାଡ଼ି ଉପରେ କଟକଣା ଲଗାଯାଇଛି।

ଗୁରୁବାର ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି, “ରାଜ୍ୟରେ ବର୍ତ୍ତମାନ ୨୨ ଲକ୍ଷ ୯ ହଜାର ୫୭ଟି ପୁରୁଣା ଗାଡ଼ିରହିଛି। ସେମାନଙ୍କ ଭିତରୁ ପ୍ରାୟ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡ଼ି ରାସ୍ତା ଉପରେ ନିୟମିତ ଚଳାଚଳ କରୁଛି। ଡିସେମ୍ବର ୧ ତାରିଖରୁ ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି କଲେ ଏହି ସବୁ ଗାଡ଼ି ବ୍ୟାନ୍ ହୋଇଯିବ। ଯଦି କୌଣସି ଲୋକ ଏପରି ଗାଡ଼ି ଚଲାଉଥିବେ ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ।”

ଏହାଦ୍ୱାରା ରାଜ୍ୟରେ ଥିବା ଏହି ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଲୋକ ବ୍ୟବହାର କରିପାରିବେ ନାହିଁ। ଫଳରେ ଏହା ସମସ୍ତଙ୍କ ପାଇଁ ଅଦରକାରୀ ହୋଇଯିବ।

ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଥିଲା। ନୂଆ ଆଇନ୍ ଅନୁସାରେ ଲୋକମାନେ ବିଭିନ୍ନ ସ୍ଥାନରେ ମୋଟା ଅଙ୍କର ଜରିମାନା ଦେବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜ୍ୟରେ ଜନଅସନ୍ତୋଷ ଦେଖାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ତିନିମାସ ପାଇଁ ଟ୍ରାଫିକ୍ ନିୟମ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ସମୟ ନଭେମ୍ବର ୩୦ରେ ଶେଷ ହେବ। ଏହାପରେ ପୁଣିଥରେ ଡିସେମ୍ବର ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଟ୍ରାଫିକ୍ ନିୟମ ପାଳନ ହେବ।

3 COMMENTS

  1. Mendhaghiya gadkari pare odisha mantri ku gharichi mendhaghiya mantrimananku pacharantu jau loka 15 barsa ra 15 thara gadi chaleithiba se gadi kan pradusana karibaki

  2. Mo matare PUCC jaruri. 2/3 barsara gadi madhya prabala matrare pollution karuchhanti. Tenu 15 barsa puruna gadiku puni thare test karei fitness certificate diajau.

Comment