ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ରେଜଲ୍ଟ ଆଜି ପ୍ରକାଶ ପାଇଛି। କିନ୍ତୁ ବୋର୍ଡ ପକ୍ଷରୁ ପରୀକ୍ଷା ପାସ୍ ହାର ସଂପର୍କରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।

ପରୀକ୍ଷା ଫଳ ଜାଣିବା ପାଇଁ କେବଳ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ମୋବାଇଲ ଫୋନ୍ ଓ ଇମେଲ ଆଇଡିରେ ଜରିଆରେ ପାସ୍‌ୱାର୍ଡ ପଠାଇ ଦିଆଯାଇଛି। ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡ ଯୋଗେ ପରୀକ୍ଷା ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରାତି ପ୍ରାୟ ୯ଟା ପରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରୁ ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ଗ୍ରେସ୍ ମାର୍କ କେତେ ଦିଆଯାଇଛି, ପାସ୍‌ ହାର କେତେ ହୋଇଛି, କେତେ ସଂଖ୍ୟକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ସେ ବିଷୟରେ କିଛି ସୂଚନା ଦିଆଯାଇନାହିଁ। ଶୁକ୍ରବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସମ୍ପାଦକ କହିଛନ୍ତି।

ଓଟିଇଟି ପରୀକ୍ଷାଫଳ ପ୍ରକାଶନ ପାଇଁ ବୋର୍ଡ ପରୀକ୍ଷା କମିଟି ପକ୍ଷରୁ ଏକ ବୈଠକ କରାଯାଇଥିଲା। ଏଥିରେ ପରୀକ୍ଷା ଫଳ ପ୍ରକାଶନ କରିବା ସଂକ୍ରାନ୍ତୀୟ ଆଲୋଚନା କରାଯାଇଥିଲା।

ଅଗଷ୍ଟ ୫ ତାରିଖରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଟିଇଟି ପରୀକ୍ଷା କରାଯାଇଥିଲା। ପେରର-୧ରେ ୭୧ ହଜାର ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପେପର-୨ରେ ୪୮ ହଜାର ୪୬୮ ଜଣ ପରୀକ୍ଷା ଦେଇଥିଲେ। ଆଜି ଅନୁଷ୍ଠିତ ହୋଇଥିବା ପରୀକ୍ଷା କମିଟି ବୈଠକରେ ବୋର୍ଡ ସମ୍ପାଦକ ଶ୍ରୀ ହାଜରାଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି, ପରୀକ୍ଷା କମିଟି ସଦସ୍ୟ ତ୍ରିଲୋଚନ ବେହେରା, ଗଙ୍ଗାଧର ବେଉରା, ବୃନ୍ଦାବନ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment