ଓଡ଼ିଶାଲାଇଭ୍ ବ୍ୟୁରୋ

ବିଫଳତା ହିଁ ମଣିଷକୁ ସଫଳତାର ଶିକ୍ଷା ଦେଇଥାଏ ବୋଲି ଅନେକ କହନ୍ତି। ଏମିତି ଉଦାହରଣ ମଧ୍ୟ ଆପଣ ଅନେକ ଦେଖିଥିବେ। ନାଗୁପରର ସୟଦ ରିୟାଜ ଅହମ୍ମଦଙ୍କ କାହାଣୀ ମଧ୍ୟ କିଛି ସେମିତି। ଲଗାତାର ୪ଥର ଆଇଏଏସ୍ ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ସେ ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ଗଢ଼ିତୋଳିଛନ୍ତି। କେବଳ ତାଙ୍କର ଦୃଢ଼ ଆତ୍ମବିଶ୍ୱାସ ହିଁ  ତାଙ୍କୁ ପଞ୍ଚମ ଥରରେ ସଫଳତା ଦେଇଛି ବୋଲି ସେ କହନ୍ତି।

ରିୟାଜ +୨ରେ ସେ ଗୋଟିଏ ବିଷୟରେ ଫେଲ୍ ହୋଇଯାଇଥିଲେ। ଯାହା ତାଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଇଥିଲା। ଏହାପରେ ସେ କଠିନ ପରିଶ୍ରମ କରି ଏହି ପରୀକ୍ଷାରେ ପାସ୍ ହୋଇଥିଲେ। ଏହାପରେ ସେ ତାଙ୍କର ଗ୍ରାଜୁଏସନ୍ ସମୟରେ ଛାତ୍ରସଂସଦ ନିର୍ବାଚନରେ ଭାଗ ନେଇଥିଲେ। ସେଇଠି ହିଁ ସେ ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଦେଖିଥିଲେ।

ଘରର ଆର୍ଥିକ ପରିସ୍ଥିତି ଖରାପ ଥିବା ସ୍ୱତ୍ତ୍ୱେ ମଧ୍ୟ ସେ ୨୦୧୩ରେ ପୁଣେ ଯାଇ ଆଇଏଏସ୍ କୋଚିଂ ନେଇଥିଲେ। ୨୦୧୪ରେ ସେ ପ୍ରଥମ କରି ଆଇଏଏସ୍ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ କିନ୍ତୁ ପ୍ରଥମ ଥରରେ ସେ ଫେଲ୍ ହୋଇଯାଇଥିଲେ। ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ଦେଖିବା ପାଇଁ ସେ ଆହୁରି ଅଧିକ ପରିଶ୍ରମ କରିଥିଲେ। ୨୦୧୫ ମସିହାରେ ଦ୍ୱିତୀୟ ଥର ଦେଇଥିବା ପରୀକ୍ଷାରେ ମଧ୍ୟ ସେ ମାତ୍ର ଗୋଟିଏ ମାର୍କ ଆଇଏଏସ୍ ହେବାରୁ ବଞ୍ଚିତ ହୋଇଥିଲେ।

ଲଗାତାର ଭାବେ ପରୀକ୍ଷାରେ ବିଫଳ ହେବା ପରେ ତାଙ୍କ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି ପାଖ ଲୋକମାନେ ସମସ୍ତେ ତାଙ୍କର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଆଇଏଏସ୍ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ମଧ୍ୟ କେତେକ ତାଙ୍କୁ କହିଥିଲେ। ଏହାପରେ ମଧ୍ୟ ରିୟାଜ ନିଜର ଆତ୍ମବିଶ୍ୱାସ ହରାଇନଥିଲେ। ନିଜକୁ ଜଣେ ଆଇଏଏସ୍ ଅଫିସର୍ କରିବା ପାଇଁ ସେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

୨୦୧୬ ମସିହାରେ ସେ ତୃତୀୟ ଥର ପାଇଁ ଆଇଏଏସ୍ ପରୀକ୍ଷା ଦେଇଥିଲେ ପାସ୍ ମଧ୍ୟ ହୋଇଥିଲେ କିନ୍ତୁ ଇଣ୍ଟରଭ୍ୟୁରେ ଫେଲ୍ ହୋଇଯାଇଥିଲେ। ଏହା ଥିଲା ତାଙ୍କ ଜୀବନର ଲଗାତାର ତୃତୀୟ ବିଫଳତା। ଏହାପରେ ରିୟାଜ ଆଇଏଏସ୍ ପାଠ ଛାଡ଼ି ବ୍ୟବସାୟ କରିବାକୁ ଇଚ୍ଛା କରିଥିଲେ। ତେବେ ବାପାଙ୍କ କହିବାପରେ ସେ ବ୍ୟବସାୟ ନକରି ନିଜକୁ ଆଇଏଏସ୍ କରିବା ପାଇଁ ପୁଣି ଲାଗିପଡ଼ିଥିଲେ।

୨୦୧୭ ମସିହାରେ ସେ ଲଗାତାର ଚତୁର୍ଥ ଥର ପାଇଁ ଆଇଏଏସ୍ ପରୀକ୍ଷାରେ ବିଫଳ ହେଲେ। ପ୍ରିଲିମିନାରୀ ପରୀକ୍ଷାରେ ପାସ୍ ହୋଇଯାଇଥିଲେ ମଧ୍ୟ ଇଣ୍ଟରଭ୍ୟୁ ପାଇଁ ତାଙ୍କୁ ଡାକରା ଆସିନଥିଲା। ଯାହା ତାଙ୍କୁ ମାନସିକ ଭାବେ ଆହୁରି ଦୁର୍ବଳ କରିଦେଇଥିଲା। ଏହାପରେ ସେ ତାଙ୍କ ରାଜ୍ୟସ୍ତରରେ ଜଣେ ଫରେଷ୍ଟ ରେଞ୍ଜ ଅଫିସର୍ ଭାବେ ପରୀକ୍ଷା ଦେଇ ଚାକିରି କରିଥିଲେ। ତେବେ କେଉଁଠି ନାଁ କେଉଁଠି ତାଙ୍କ ମନ ଭିତରେ ଆଇଏଏସ୍ ହେବାର ଇଚ୍ଛା ବଞ୍ଚିରହିଥିଲା।

୨୦୧୮ ମସିହାରେ ରିୟାଜ୍ ବିନା କୌଣସି କୋଚିଂରେ ପଞ୍ଚମ ଥର ପାଇଁ ଆଇଏଏସ୍ ପରୀକ୍ଷା ଦେଇଥିଲେ। ତାଙ୍କର ଇଣ୍ଟରଭ୍ୟୁ ମଧ୍ୟ ସେଭଳି ଖାସ୍ ରହିନଥିଲା, ଏହାପରେ ମଧ୍ୟ ଆଇଏଏସ୍ ରେଜଲ୍ଟରେ ତାଙ୍କର ରାଙ୍କ୍ ଆସିଥିଲା ୨୬୧। ଲଗାତାର ଚାରି ଚାରି ଥର ବିଫଳତାକୁ ସାମନା କରିବା ପରେ ନିଜକୁ ଆଇଏଏସ୍ କରି ଗଢ଼ି ତୋଳିଥିଲେ ରିୟାଜ। ନିଜର ଏହି ସଫଳତା ପାଇଁ ସେ ପିତାଙ୍କ ଯଥେଷ୍ଟ ଅବଦାନ ରହିଥିବା କହିଥାନ୍ତି। ତାଙ୍କ ବାପା ହିଁ ତାଙ୍କୁ ପ୍ରତ୍ୟେକଟି ମୂହୁର୍ତ୍ତରେ ଆତ୍ମବିଶ୍ୱାସ ଯୋଗାଇ ଦେଇଆସିଛନ୍ତି ବୋଲି ରିୟାଜ କହିଥାନ୍ତି।

ରିୟାଜ୍ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଆଇଏଏସ୍ ହେବା ପାଇଁ ଆତ୍ମବିଶ୍ୱାସର ସହ ପାଠପଢ଼ିବ ତେବେ ସେ ନିଶ୍ଚୟ ଏଥିରେ ସଫଳତା ପାଇପାରିବ। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସମୟରେ ନିଜର ଆତ୍ମବିଶ୍ୱାସ ବଜାୟ ରଖିବା ହିଁ ଜଣେ ପରୀକ୍ଷାର୍ଥୀ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଜୀବନରେ ଅସଫଳତାକୁ ପଛରେ ରଖି ଜୀବନରେ ଆଗକୁ ବଢ଼ିବା ଉଚିତ୍ ବୋଲି ସେ କହିଛନ୍ତି।

Comment