ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ଆସିବ ଦୁନିଆର ସବୁଠାରୁ ଖତରନାକ୍‌ ତୋପ, ଯାହାର ଆକ୍ରମଣରେ ମାତ୍ର କିଛି ସେକେଣ୍ଡରେ ଶତ୍ରୁପକ୍ଷ ଧ୍ୱଂସ ପାଇବ। ଏହି ତୋପ ଭାରତୀୟ ନୌସେନାରେ ସାମିଲ ହେଲେ ଦେଶର ପ୍ରତିରକ୍ଷା ଶକ୍ତି ଆହୁରି ମଜବୁତ୍‌ ହୋଇପାରିବ। ଏନେଇ ଆମେରିକାଠାରୁ ଭାରତକୁ ସବୁଜ ସଙ୍କେତ ମିଳିଛି।

ବୁଧବାର ଆମେରିକାର ଟ୍ରମ୍ପ ସରକାର ୧୩ଟି ଏମ୍‌କେ-୪୫ ନୌସେନା ତୋପ ଭାରତକୁ ବିକିବା ପାଇଁ ମଞ୍ଜୁରୀ ଦିଆଯାଇଛି। ତୋପକୁ ମିଶାଇ ସମସ୍ତ ଉପକରଣ ମୋଟ ମୂଲ୍ୟ ପ୍ରାୟ ୭୧ ହଜାର କୋଟି ଟଙ୍କା ହେବ। ଏହା ଜଳପଥ, ଆକାଶପଥ ଏବଂ ସ୍ଥଳପଥରେ ଶତ୍ରୁଙ୍କୁ ନିପାତ କରିବାର କ୍ଷମତା ରଖିଛି। କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ୨୫ କିଲୋମିଟର ଦୂରରୁ ଏହି ତୋପ ଶତ୍ରୁ ପକ୍ଷକୁ ଯୋଜନାକୁ ପଣ୍ଡ କରିବ।

ସୂଚନା ମୂତାବିକ, ଏହି ତୋପ ଚଳାଇବା ପାଇଁ ଭାରତୀୟ ସୈନ୍ୟଙ୍କୁ ଆମେରିକା ପ୍ରଶିକ୍ଷଣ ଦେବ। ଭାରତୀୟ ନୌସେନାରେ ଏହି ତୋପ ସାମିଲ ହେଲେ ଦେଶର ସମୁଦ୍ର ଅପରେସନ ଆହୁରି ସୁରକ୍ଷିତ ହୋଇପାରିବ।

ଏପର୍ଯ୍ୟନ୍ତ ଆମେରିକା ଏହି ତୋପକୁ ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆକୁ ବିକ୍ରି କରିସାରିଛି। ବର୍ତ୍ତମାନ ଭାରତକୁ ବିକ୍ରି ପାଇଁ ମଞ୍ଜୁରୀ ଦେଇଥିବା ବେଳେ ବ୍ରିଟେନ୍‌ ଏବଂ କନାଡାକୁ ବିକ୍ରି ପାଇଁ ପ୍ରସ୍ତୁତ ହେଉଛି। ତେବେ ଭାରତ ଏଯାଏଁ ଆମେରିକାର ପ୍ରସ୍ତାବରେ ରାଜି ହୋଇନାହିଁ। ଦୁଇ ଦେଶ ମଧ୍ୟରେ ଆଇନ୍‌ଗତ ଚୁକ୍ତିନାମା ହେବା ପରେ ଭାରତୀୟ ନୌସେନାରେ ଏହି ଭୟଙ୍କର ତୋପ ସାମିଲ ହେବ।

Comment