ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ ବାଟ ଫିଟୁଛି। ଏକଥା ନିଜେ ଉଦ୍ଧବ ଠାକ୍‌ରେ ଶିବସେନା ବିଧାୟକ ଦଳ ବୈଠକରେ କହିଥିବା ବିଧାୟକ ଭାସ୍କର ଯାଦବ କହିଛନ୍ତି। ସରକାର ଗଠନ ପାଇଁ ଏନ୍‌ସିପି ଓ କଂଗ୍ରେସ ସହ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।

‘‘ଉଦ୍ଧବ ଠାକ୍‌ରେ ଦଳର ସବୁ ବିଧାୟକମାନଙ୍କୁ ଭେଟିଥିଲେ। ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ସେନା ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି ବୋଲି କହିଥିଲେ। ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି’’, କହିଛନ୍ତି ଶିବସେନା ବିଧାୟକ ଭାସ୍କର ଯାଦବ।

ମୁମ୍ବାଇରେ ବିଧାୟକମାନଙ୍କୁ ଏକାଠି ରହିବାକୁ ଉଦ୍ଧବ କହିଛନ୍ତି। ଯେତେବେଳେ ଆବଶ୍ୟକ ପଡ଼ିବ ବିଧାୟକମାନଙ୍କୁ ଡକାଯିବ ବୋଲି ବିଧାୟକଙ୍କୁ କହିଛନ୍ତି ଉଦ୍ଧବ।

ମହାରାଷ୍ଟ୍ରରେ ମାସେ ହେଲା ସରକାର ଗଠନକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ବିଜେପି-ଶିବସେନା ଭିତରେ ମେଣ୍ଟ ଭାଙ୍ଗିଛି। ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

ଏନ୍‌ସିପି-କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛି। ହେଲେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସ, ଏନ୍‌ସିପି ସମର୍ଥନ କରିବେ ବୋଲି ସର୍ତ୍ତ ରହିଛି। ଏଣୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି।

Comment