ଓଡ଼ିଶାଲାଇଭ୍ ବ୍ୟୁରୋ  

“ଭାରତୀୟ ଶିକ୍ଷା ଇତିହାସରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଯାହା ପ୍ରତିବର୍ଷ ବିଜ୍ଞ, ଗୁଣୀ ଓ ଜ୍ଞାନୀ ବ୍ୟକ୍ତିମାନଙ୍କୁ ସମାଜକୁ ପ୍ରଦାନ କରିଥାଏ” , ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଉଦଘାଟନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯାଉଛି। ଆଜି ଏହାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହାକୁ ଉଦଘାଟନ୍ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛନ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ, “ଉତ୍କଳ ବିଶ୍ୱବିଦ୍ୟାଳୟ ମୋ ପାଇଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ। ବାଣୀବିହାର କ୍ୟାମ୍ପସରେ ପାଠପଢ଼ିବା ନିଶ୍ଚୟ ଭାବେ ସୌଭାଗ୍ୟର ବିଷୟର। ବିଶ୍ୱବିଦ୍ୟାଳୟର ଏପରି ଏକ ଉତ୍ସବରେ ଯୋଗଦେବା ନିଶ୍ଚୟଭାବେ ଉତ୍ସାହଜନକ।”

“ଉତ୍କଳ ବିଶ୍ୱବିଦ୍ୟାଳର ଗରିମାମୟ ୭୫ ବର୍ଷର ଇତିହାସ ହେଉଛି ଏହି ପ୍ଲାଟିନମ୍ ଜୁବୁଲି ଉତ୍ସବ। ବିଶ୍ୱବିଦ୍ୟାଳୟର ଅତୀତ ଓ ଭବିଷ୍ୟତକୁ ଯୋଡ଼ି ଆମେ ଆଜି ଏହି ଉତ୍ସବର ଆୟୋଜନ କରିଛୁ। ଏହା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସହ ଯୋଡ଼ିବ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠପଢ଼ିବାକୁ ଉତ୍ସାହ ଯୋଗାଇବ”, କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ।

ବିଶ୍ୱବିଦ୍ୟାଳୟର ଏହି ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦଘାଟନୀ ଦିନରେ ବିଶ୍ୱବିଦ୍ୟାଳୟର ଆଲୁମିନି ବର୍ତ୍ତମାନର ପୋଲିସ୍ ଡିଜି ସତ୍ୟଜିତ୍ ମହାନ୍ତି, ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସାଂସଦ ସସ୍ମିତା ସେଠୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଆଲୁମିନି ସଂଘର ଆବାହକ ବିଜୟ କୁମାର ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ବିଶ୍ୱବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ୨୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ଆଲୁମିନିମାନଙ୍କର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଉତ୍ସବରେ ପ୍ରତିଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Comment