ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ପଷ୍ଟ ହେଲା ମହାରାଷ୍ଟ୍ର ରାଜନୀତି ସମୀକରଣ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧିନ ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢ଼ିବ। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାର ଲମ୍ବା ବୈଠକ ପରେ ବୁଧବାର ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲ ବଡ଼ ସୂଚନା ଦେଇଛନ୍ତି। ଗୁରୁବାର ମୁମ୍ବାଇ ଶିବାଜୀ ପାର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ପ୍ରଫୁଲ୍ଲ ପଟେଲ ଆହୁରି ମଧ୍ୟ କହିଛନ୍ତି, “ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଉପ-ମୁଖ୍ୟମନ୍ତ୍ରୀ ପଦ ଏନ୍‌ସିପିକୁ ମିଳିବ। ତେବେ କିଏ ଉପମୁଖ୍ୟମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ବଛା ଯାଇନାହିଁ। ସେହିପରି କଂଗ୍ରେସକୁ ବିଧାନସଭା ବାଚସ୍ପତି ପଦ ଦିଆଯାଇଛି। ବିଧାନସଭା ଉପବାଚସ୍ପତି ମଧ୍ୟ ଏନ୍‌ସିପିକୁ ଦିଆଯାଇଛି।”

ଆସନ୍ତାକାଲି ସନ୍ଧ୍ୟା ୬.୪୦ରେ ଉଦ୍ଧବ ଠାକ୍‌ରେଙ୍କ ରାଜ୍‌ ତିଲକ ହେବ। ଠାକ୍‌ରେ ପରିବାରରୁ ସେ ହେବେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଶିବାଜୀ ପାର୍କରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

Comment