ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଓଡ଼ିଆ ମିଡିଆ ପକ୍ଷରୁ ଡିସେମ୍ବର ୧ରେ ଆୟୋଜିତ ହେବ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯, ୨୦ ପ୍ରତିଭା ହେବେ ସମ୍ମାନିତ।

ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ଡିସେମ୍ବର ୧ରେ ଆୟୋଜିତ ହେବାକୁ ଯାଉଛି ଦ୍ୱିତୀୟ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯। ଏହି କାର୍ଯ୍ୟକ୍ରମରେ ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ୨୦ଟି ବିଭାଗରୁ ବଛାବଛା ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ଏଥିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ରବିବାର ଦିନ ୧୦ଟା ଭୁବନେଶ୍ୱର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶା ଉତ୍କର୍ଷ ସମ୍ମାନ ଅନୁଷ୍ଠିତ ହେବ। ଏଥିରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯିବ। ଏନେଇ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ପାଇଁ ପୁରସ୍କାର ଚୟନ କମିଟି ୧୭ ଜଣ ପ୍ରତିଭାଙ୍କ ନାମ ସୁପାରିଶ କରିଛନ୍ତି। ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଅଜିତ ଦାସ, ସିନେମାରେ ମହାଶ୍ୱେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡ଼ାରେ ଅନୁରାଧା ବିଶ୍ୱାଳଙ୍କୁ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯିବ।

ସେହିପରି ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ୱ କ୍ଷେତ୍ରରେ ପ୍ରିୟଦର୍ଶୀ ପାଣି, ଶିକ୍ଷା କ୍ଷେତ୍ରରେ ସବିତା ପଟ୍ଟନାୟକ, ସମ୍ପଦ ପରିଚାଳନା କ୍ଷେତ୍ରରେ ତ୍ରିନାଥ ଲେଙ୍କା ଏବଂ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ପ୍ରଶାନ୍ତ ସାହୁଙ୍କୁ ଚଳିତ ବର୍ଷ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ତିନୋଟି ଅନୁଷ୍ଠାନ ମଧ୍ୟ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନି ନାଲ୍‌କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ (ସୋଭା)କୁ ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ପ୍ରଦାନ କରାଯିବ।

“ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତାର ଜୟଗାନ କରିବା ଏହି ଉତ୍ସବର ଉଦ୍ଦେଶ୍ୟ”, କହିଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

Comment