ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରିବା ପାଇଁ ଧାର୍ଯ୍ୟ ହୋଇଥିବା ଡେଡ୍ ଲାଇନକୁ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, “ରାଜ୍ୟରେ ଆରଟିଓମାନଙ୍କରେ ଏଯାଏଁ ଗହଳି ଲାଗି ରହିଛି। ଏବେ ବି କିଛି ଲୋକଙ୍କୁ ଲାଇସେନ୍ସ ମିଳିପାରି ନାହିଁ। ତେଣୁ ଗାଡ଼ି କାଗଜପତ୍ରର ଶେଷ ତାରିଖକୁ ଘୁଞ୍ଚାଇବା ପାଇଁ ବିଭାଗ ମଧ୍ୟରେ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଏନେଇ ସୂଚନା ଲୋକମାନଙ୍କୁ ଦିଆଯିବ।”

ରାଜ୍ୟରେ ଡିସେମ୍ବର୧ରୁ ଟ୍ରାଫିକ୍ ଆଇନ୍ ପୁଣି କଡ଼ାକଡ଼ି ହେବା ନେଇ ଖବର ଶୁଣିବା ପରେ ଆରଟିଓମାନଙ୍କରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। କିଏ ରେଜିଷ୍ଟ୍ରେସନ୍‌ ସାଟିର୍ଫିକେଟ୍‌ ପାଇଁ ତ କିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ପୁଣି କିଏ ୧୫ ବର୍ଷର ପୁରୁଣା ଗାଡ଼ିକୁ ରିନ୍ୟୁ କରିବା ପାଇଁ ଆରଟିଓରେ ଲାଇନ୍‌ ଲଗାଇଛି।  ବିଧାନସଭାରେ ମଧ୍ୟ ଏନେଇ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିଧାୟକମାନେ।

ଡିସେମ୍ବର ୧ ତାରିଖ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ପରିବହନ ମନ୍ତ୍ରୀଙ୍କ ଏହି ବୟାନ୍ ସାଧାରଣ ଗାଡ଼ି ଚାଳକଙ୍କୁ ଟିକେ ଆଶ୍ୱସ୍ତି ଦେଇଛି।

Comment