ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ୍‌ରେ ଛାତିଥରା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ। ୪ ଅଭିଯୁକ୍ତ ଗିରଫ। ଏମିତି ଥିଲା ସେହି କାଳ ରାତ୍ରୀ।

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ନିର୍ଭୟା ପରେ ପୁଣି ଘଟି ଗଲା ଆଉ ଏକ ଛାତିଥରା ଗଣଦୁଷ୍କର୍ମ ଓ ହତ୍ୟା। ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ କିରୋସିନ ଢ଼ାଳି ନିଆଁ ଲଗାଇ ହତ୍ୟା କରିଛନ୍ତି ଦୃର୍ବୁତ୍ତ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

କେମିତି ଘଟିଥିଲା ଘଟଣା?

ପୀଡ଼ିତା ନିଜ ବାପାମାଙ୍କ ସହ ହାଇଦ୍ରାବାଦ ନିକଟ ସମସାବାଦ ନିକଟରେ ରୁହନ୍ତି। ସେ ତେଲେଙ୍ଗାନାରେ ମେହେବୁବ ନଗର ଜିଲ୍ଲାର କଲୁରୀଠାରେ ପଶୁ ଡାକ୍ତର ରୂପେ କାର୍ଯ୍ୟ କରୁଥିଲେ। ଗୁରୁବାର ଦିନ ସନ୍ଧ୍ୟା ୫ଟା ୩୦ ମିନିଟରେ ଘରକୁ ଫେରିବା ପରେ ସ୍କିନ ଚିକିତ୍ସା ପାଇଁ ଗାଛିଵୋଉଲି ବାହାରିଥିଲେ। ସେ ନିଜ ସ୍କୁଟିରେ ପ୍ରଥମେ ସମସାବାଦ ନିକଟ ତଣ୍ଡୁପଲ୍ଲୀ ଟୋଲଗେଟରେ ପହଞ୍ଚି ନିଜର ସ୍କୁଟିକୁ ସେଠାରେ ରଖି ଗୋଟିଏ ଟ୍ୟାକ୍ସି ଦ୍ୱାରା ଗାଛିଵୋଉଲିରେ ଥିବା ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ।

ହେଲେ ତାଙ୍କୁ ସେଠାରେ ନଜର ରଖିଥିଲେ ୪ ଜଣ ରାକ୍ଷସ। ସେହି ଟୋଲ ଗେଟ୍‌ ନିକଟରେ ଓଡିଶାରୁ ହାଇଦ୍ରାବାଦ ଯାଉଥିବା ଗୋଟିଏ ଟ୍ରକ ସନ୍ଧ୍ୟା ୪ଟାରୁ ଅଟକିଥିଲା। ସେହି ଟ୍ରକରେ ଯାତ୍ରା କରୁଥିବା ୪ ଜଣ ବ୍ୟକ୍ତି ମହିଳା ଡାକ୍ତରଙ୍କ ସମସ୍ତ କାର୍ଯ୍ୟକଳାପକୁ ଦେଖୁଥିଲେ। ସେ ଗଲାପରେ ଏମାନେ ମଦ୍ୟପାନ କରିଥିଲେ। ରାତି ୯ଟା ୫ ମିନିଟ ସମୟରେ ପୀଡ଼ିତା ଟୋଲ ଗେଟ ନିକଟରେ ପହଞ୍ଚି ଥିଲେ ଏବଂ ନିଜ ଗାଡି ପଞ୍ଚର ହୋଇଥିବା ଦେଖିଥିଲେ।

ସେହି ସମୟର ସୁଯୋଗ ନେଇ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ପାସା ପ୍ରଥମେ ମହିଳା ଡାକ୍ତରଙ୍କ ନିକଟକୁ ଯାଇ ସହାୟତାର ହାତ ବଢାଇଥିଲେ। କିନ୍ତୁ କିଛି ସମୟ ପରେ ଗେଟ ନିକଟକୁ ଆସି କୌଣସି ଦୋକାନ ଖୋଲା ନଥିବା କହିଥିଲେ ଏବଂ ଏଠାରୁ ମାତ୍ର କିଛି ଦୂରରେ ଗୋଟିଏ ଦୋକାନ ଥିବା କହି ତାଙ୍କୁ ସାଥିରେ ନେଇ ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଟୋଲ ଗେଟଠାରୁ ମାତ୍ର ୧୦ ମିଟର ଦୂରରେ ଅନ୍ୟ ୩ ଜଣ ଅଭିଯୁକ୍ତ ଅଟକିଥିଲେ ଏବଂ ସେମାନେ ଧର୍ଷଣ କରିବା ପରେ ଗଳା ଚିପି ମହିଳା ଡାକ୍ତରଙ୍କୁ ହତ୍ୟାକରିଥିଲେ।

ଘଟଣାଟି ଟୋଲ ଗେଟଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା। ପ୍ରଥମେ ଅଭିଯୁକ୍ତମାନେ ପ୍ରିୟଙ୍କାର ଶବକୁ ନିକଟରେ ଥିବା ଗୋଟିଏ ଘରେ ଫୋପାଡ଼ି ଦେବା ପାଇଁ ଉଦ୍ୟମ କରିଥିଲେ ହେଲେ ଉକ୍ତ ଘରେ ରହୁଥିବା ଜଣେ ବ୍ୟକ୍ତି ଉଠି ପଡିବା ପରେ ସେମାନେ ଶବକୁ ନିଜ ଟ୍ରକ ଦ୍ଵାରା ସେଠାରୁ ୩୦ କିଲୋମିଟର ଦୂର ହାଇଦ୍ରାବାଦ-ବାଙ୍ଗାଲୋର ୪୪ ନମ୍ବର ଜାତୀୟ ରାଜପଥର ସ୍ୱାଦନଗର ନିକଟ ଚତନପାଲ୍ଲୀ ଓଭରବ୍ରିଜ ତଳେ ଡିଜେଲ ଢାଳି ନିଆଁ ଲଗାଇଦେଇଥିଲେ।

ଅନ୍ୟପକ୍ଷରେ ରାତି ୯ଟା ୨୨ ମିନିଟରେ ନିଜ ସାନ ଭଉଣୀ ସହ କଥା ହେବା ପରେ ପ୍ରିୟଙ୍କାଙ୍କ ଫୋନ୍‌ ୯ଟା ୪୪ ପରେ ବନ୍ଦ ଆସୁଥିବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରୁ ନିରାଶ ହେବା ପରେ ସମସାବାଦ ପୋଲିସ ନିକଟରେ ସକାଳ ୪ଟାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଗୁରୁବାର ସକାଳ ୬ଟା ସମୟରେ ଗୋଟିଏ କ୍ଷୀର ବିକାଳୀ ଏସ.ଶ୍ୟାମ ବ୍ରିଜ ତଳେ ଗୋଟିଏ ଶବ ଜଳୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ତୁରନ୍ତ ପୋଲିସକୁ ଏନେଇ ସୂଚନ ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ।

ଗତ ୨ଦିନ ମଧ୍ୟରେ ସାରା ହାଇଦ୍ରାବାଦର ବିଭିନ୍ନ ଥାନାରେ ନିଖୋଜ ଘଟଣାର ଅଭିଯୋଗକାରୀଙ୍କୁ ଫୋନ ଦ୍ୱାରା ଘଟଣା ସମ୍ପର୍କରେ ଖବର ଦିଆଯିବ ପରେ ପୀଡ଼ିତା ପରିବାର ସକାଳ ୧୦ଟା ୩୦ ମିନିଟରେ ଘଟଣାସ୍ଥଳରେ ପହଞ୍ଚି ଶବରେ ଥିବା ଗଣେଶ ଲକେଟ ଦ୍ୱାରା ଶବ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ପୋଲିସ ତୁରନ୍ତ ଗୋଟିଏ ୧୦ ଜଣିଆ ଟିମ୍‌ ଗଠନ କରି ଅନୁସନ୍ଧାନରେ ଲାଗିପଡ଼ିଲେ।

ପ୍ରଥମେ ସିସିଟିଭିକୁ ଆଧାର କରି ବହୁ ସମୟ ଧରି ଟୋଲଗେଟ ନିକଟରେ ଅଟକିଥିବା ଟ୍ରକ ଉପରେ ନଜର ପକାଇଥିଲେ ଏବଂ ଗାଡି ମାଲିକ ଶ୍ରୀନିଭାସ ରେଡ୍ଡୀକୁ ଡାକି ପଚରାଉଚରା କରିଥିଲେ। ତାଙ୍କ ନିକଟରୁ ସମସ୍ତ ସୂଚନା ପାଇବାପରେ ଟ୍ରକ ଚାଳକ ମହମ୍ମଦ ପାଶା ନିକଟରେ ପହଞ୍ଚିଥିଲେ। ମୁଖ୍ୟ ଅଭିଯୁକ୍ତ ଆଧାରରେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ପ୍ରାରମ୍ଭିକ ଅନୁସନ୍ଧାନରୁ ସେମାନେ ଜାଣିଶୁଣି ବାଇକକୁ ପମ୍ପଚର କରିଥିଲେ ଏବଂ ପୂର୍ବରୁ ହିଁ ଏମାନେ ପ୍ରିୟଙ୍କାଙ୍କୁ ଦୁଷ୍କର୍ମ କରିବା ପାଇଁ ଯୋଜନା କରିଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି।

Comment