ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଛି। ଏହି ଘଟଣା ପୁଣି ଥରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ କଥା ମନେ ପକାଇ ଦେଇଛି। ସାରାଦେଶରେ ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମ ଓ ହତ୍ୟାକୁ ନିନ୍ଦା କରାଯାଇଥିଲା ବେଳେ, ଆଜି ଜଣେ ଏକାକୀ ଝିଅ ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି। ଦିଲ୍ଲୀରେ ସଂସଦ ଭବନ ନିକଟରେ  ଶନିବାର ସକାଳ ୭ଟାରୁ ଏକ ପୋଷ୍ଟର ଧରି ଅନୁ ଦୁବେ ନାମକ ଏହି ଯୁବତୀ ଜଣକ ଧାରଣାରେ ବସିଛନ୍ତି।

ଯୁବତୀ ଜଣକ ଏହି ପୋଷ୍ଟରରେ ଲେଖିଛନ୍ତି ଯେ, why i can’t feel safe in my home, india?’  ଅର୍ଥାତ ମୁଁ ମୋ ଘର ଭାରତରେ କାହିଁକି ସୁରକ୍ଷିତ ଅନୁଭବ କରିପାରୁ ନାହିଁ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୁବତୀ ଜଣକ କହିଛନ୍ତି,‘‘ କାଲି ମୋତେ ବି ଦୁଷ୍କର୍ମ କରାଯିବ। ମୋତି ବି ଜାଳି ଦିଆଯିବ ହେଲେ ମୁଁ ଲଢ଼ିବି। ମୁଁ ଆଶା ବି କରୁନି କେହି ମୋ ସହିତ ଆସି ଏହି ଧାରଣାରେ ବସିବ’’।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ ଆଉ ଡର ଲାଗୁନି, ଡରି ଡରି ମନ ଭରି ଗଲାଣି। ଏଇଟା ମୋର ଘର। ମୋର ଭାରତ। ହେଲେ କାହିଁକି ଏଠି ମୁଁ ନିଜକୁ ସୁରକ୍ଷିତ ମନେ କରପାରୁନି।’’

ଅନୁ ପ୍ରତିଦିନ ଏହିଠାରେ ବସିବେ ସଫା ସଫା କହିଛନ୍ତି। ଯେଉଁଯାଏଁ ତାଙ୍କ ପ୍ରଶ୍ନର ଉତ୍ତର ତାଙ୍କୁ ମିଳିନି ସେ ଏକାକୀ ହିଁ ଧାରଣାରେ ବସିବେ ବୋଲି କହିଛନ୍ତି।

କ’ଣ ହୋଇଥିଲା ପ୍ରିୟଙ୍କା ସହ?

ପ୍ରିୟଙ୍କା ପ୍ରତିଦିନ ଭଳି ବୁଧବାର ନିଜ ଡ୍ୟୁଟିକୁ ଯାଉଥିଲେ। ରାସ୍ତାରେ ତାଙ୍କ ସ୍କୁଟି ପଞ୍ଚର୍‌ ହୋଇଯାଇଥିଲା। ଏହାପରେ ପ୍ରିୟଙ୍କା ତାଙ୍କ ଭଉଣୀଙ୍କୁ ଫୋନ୍‌ କରିଥିଲେ। ସେତିକିବେଳେ କିଛି ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ପୋଡ଼ି ହତ୍ୟା କରିଥିଲେ। ପରଦିନ ସକାଳୁ ତାଙ୍କର ମୃତଦେହ ମିଳିଥିଲା।

Comment