ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୧ ମାସ ପରେ କ୍ରାଇମବ୍ରାଞ୍ଚ୍ ହାତରେ ଧରାପଡ଼ିଲେ
  • ୮ଲକ୍ଷ ୫୯ ହଜାର ଟଙ୍କା ଜବତ
  • ୪୭ଟି ଏଟିଏମ୍ କାର୍ଡ, ୧୬ ମୋବାଇଲ୍, ଲାପଟପ୍‌, ପେନ୍ ଡ୍ରାଇଭ୍ ଜବତ

କଟକ: ଜାଲ୍ ୱେବସାଇଟ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଏକ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ କ୍ରାଇମବ୍ରାଞ୍ଚ୍ ହାତରେ ଧରାପଡିଛି। ପେଟ୍ରୋଲ୍ ପମ୍ପ କରିବା ଲାଗି ସାଇବର ଠକଙ୍କ ଜାଲରେ ପଡ଼ି ୪୦ ଲକ୍ଷ ୪୫ ହଜାର ହରାଇଥିବା ଢେଙ୍କାନାଳ ଜିଲ୍ଲା ଭୂବନ ଅଞ୍ଚଳର ଓମ ପ୍ରକାଶ ମିଶ୍ର ଅଭିଯୋଗର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚ ଏହି ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ଚେର ପାଇଛି।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ କୋଟିକୋଟି ଟଙ୍କା ଠକି ନେଇଥିବା ସାଇବର ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ କ୍ରାଇମବ୍ରାଞ୍ଚ ଟିମ୍ ବିହାରର ହାୱାଇ ଆଡ୍ଡା ଥାନା ଅଞ୍ଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ବିହାର ନାଳନ୍ଦା ଜିଲ୍ଲା ଅଞ୍ଚଳର ଆକାଶ କୁମାର(୨୧), ଗୟା ଜିଲ୍ଲାର ଶୁଭମ୍ ପ୍ରିୟଦର୍ଶୀ(୧୯), ନୱାଡା ଜିଲ୍ଲା ୱାରିଶାଳିଗଞ୍ଜ ଅଞ୍ଚଳର କୌଶଳେନ୍ଦ୍ର କୁମାର(୨୩) । ଅଭିଯୁକ୍ତମାନଙ୍କଠାରୁ ନଗଦ ୮ଲକ୍ଷ ୫୯ ହଜାର ଟଙ୍କା, ୪୭ଟି ଏଟିଏମ୍ କାର୍ଡ, ୧୬ଟି ମୋବାଇଲ୍ ଫୋନ୍, ବହୁ ସିମ୍ କାର୍ଡ, ଲାପଟପ୍‌, ପେନ୍ ଡ୍ରାଇଭ୍, ଡଙ୍ଗଲ୍ ଓ ବହୁ ବ୍ୟାଙ୍କ୍ ଚେକ୍ ବହି, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ପାନ୍ କାର୍ଡ ସମେତ ନୋଟ୍ ବୁକ୍ ଆଦି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜବତ କରିଛନ୍ତି। ୩ ଜଣ ଯାକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପାଟନା କୋର୍ଟରୁ ୨ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଇଛି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ରିଲାଏନ୍ସ ପେଟ୍ରୋଲ ପମ୍ପର ଏକ ୱେବସାଇଟ ମାଧ୍ୟମରେ ଡିଲରସିପ୍‌ ଆହ୍ୱାନ କରାଯାଇଥିବା ଦେଖି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଓମ୍ପ୍ରକାଶ ମିଶ୍ର(୩୭) ଗତବର୍ଷ ନଭେମ୍ବର ପହିଲାରେ ଇ-ମେଲ୍ ଜରିଆରେ ଆବେଦନ କରିଥିଲେ।

ଆବେଦନ କରିବା ପରେ  ୨ ଓ ୩ ତାରିଖରେ ଏହାର ସେ ଉତ୍ତର ମଧ୍ୟ ପାଇଥିଲେ। ଏହାପରେ ରିଲାଏନ୍ସ ପେଟ୍ରୋଲ୍ ପମ୍ପ ସଂସ୍ଥାର ଅଧିକାରୀ ବୋଲି ଅଙ୍କିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନ୍ କରି ଓମ୍ପ୍ରକାଶଙ୍କୁ ଫି’ ଜମା କରିବାକୁ କହିଥିଲେ। ଓମ୍ ପ୍ରକାଶ ଗତବର୍ଷ ନଭେମ୍ବର ୧୨ ଏବଂ ୧୫ ତାରିଖରେ ଯଥାକ୍ରମେ ୨୯ ହଜାର ୫ଶହ ଟଙ୍କା ଓ ୮୮ହଜାର  ୫ଶହ ଟଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡ ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ତାଙ୍କ ଠାରୁ ଲାଇସେନ୍ସ ଫି’, ବୀମା ଫି’, ଡିପୋଜିଟ୍ ଏବଂ କ୍ରେଡିଟ୍ ଡିପୋଜିଟ୍ ଫି’ ବାବଦକୁ ଭିନ୍ନ ଭିନ୍ନ ସମୟରେ କାନାରା ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରେ ୩୯ ଲକ୍ଷ ୨୭ ହଜାର ଟଙ୍କା ଜମା ନିଆଯାଇଥିଲା।

ପରେ ସଂପୃକ୍ତ କମ୍ପାନି ତରଫରୁ ମନୋଜ ଚୌହାନ ନାମକ ବ୍ୟକ୍ତି ଏକାଧିକ ବାର ଓମ୍ ପ୍ରକାଶଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲା। ଗତ ଜାନୁଆରୀ ୨ ତାରିଖରେ ନିତିନ ବିଜୟ ନାମକ ଜଣେ ଅଧିକାରୀ ନେତୃତ୍ୱରେ ୬ ଜଣିଆ ଟିମ୍ ଓଡ଼ିଶା ଆସି ପ୍ରସ୍ତାବିତ ପେଟ୍ରୋଲ ପମ୍ପ୍ ସ୍ଥଳ ବୁଲି ଦେଖିବେ ବୋଲି ଫୋନରେ କୁହାଯାଇଥିଲା। ହେଲେ କେହି ନଆସିବାରୁ ଓମ୍ପ୍ରକାଶଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ମାତ୍ର ସେତେବେଳକୁ ଓମ୍ ପ୍ରକାଶ ଗତ ଡିସେମ୍ବର ୧୨ ତାରିଖରୁ ୨୮ ତାରିଖ ମଧ୍ୟରେ ୪୦ ଲକ୍ଷ ୪୫ ହଜାର ହଜାର ଟଙ୍କା ଅଭିଯୁକ୍ତମାନଙ୍କ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟରେ ପଇଠ କରିସାରିଥିଲେ।

ସବୁଆଡୁ ନିରାଶ ହୋଇ ଓମ୍ପ୍ରକାଶ  ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଗତ ଜାନୁଆରୀ ୩ ତାରିଖରେ ଏତଲା ଦେଇଥିଲେ। ଅଭିଯୋଗ ମୁତାବକ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଇନ୍ସପେକ୍ଟର ବିଭୁ ରଞ୍ଜନ ସୁନ୍ଦରାୟଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲା।

ଓମ୍ପ୍ରକାଶ ଟଙ୍କା ଜମା କରିଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ବିଭିନ୍ନ ଫୋନ୍ ନମ୍ବରକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ ମାସ ହେଲା ଛାନ୍ଭିନ୍‌ ଚଳାଇ ଆସୁଥିଲା। ବିଳମ୍ବରେ ହେଲେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ଠକଙ୍କ ବାବଦରେ କିଛି ମାସ ତଳେ ସାମାନ୍ୟ ସୁରାକ୍ ପାଇଥିଲା।

ଉକ୍ତ ତଥ୍ୟକୁ ଆଧାର କରି ସାଇବର ଟିମ୍ ଗତ ସପ୍ତାହରେ ବିହାର ପାଟନା ଅଭିମୁଖେ ବାହାରିଥିଲା। ଅଭିଯୁକ୍ତମାନଙ୍କୁ ଗତ ୨୯ ତାରିଖରେ ହାୱାଇ ଆଡ୍ଡା ଥାନା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ଗୁଜରାଟରେ ମଧ୍ୟ ଅନେକଙ୍କୁ ରିଲାଏନ୍ସ ପେଟ୍ରୋଲ୍ ପମ୍ପ କରାଇ ଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ୩ ଜଣ ଯାକ ଅଭିଯୁକ୍ତଙ୍କୁ ପୋଲିସ୍ ରିମାଣ୍ଡରେ ନେବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

Comment