ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଏଣିକି ଶସ୍ତା କଲ୍ କରିବାର ଯୁଗ ସରିବାକୁ ଯାଉଛି। କାରଣ ଏୟାରଟେଲ୍ ଓ ଆଇଡିଆ ପରେ ଏବେ ଜିଓ ନିଜର କଲ୍ ଦର ମହଙ୍ଗା କରିବାକୁ ଯାଉଛି। ଏନେଇ ରବିବାର କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଜିଓ ଡିସେମ୍ବର ୬ ତାରିଖରୁ ନିଜର କଲ୍ ରେଟ୍ ଓ ଡାଟାର ବ୍ୟବହାର ପାଇଁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ନେବ। ଏଥିପାଇଁ ଜିଓ ତାର ଟାରିଫ୍ ପ୍ଲାନଗୁଡ଼ିକର ମୂଲ୍ୟକୁ ୪୦ ପ୍ରତିଶତରୁ ଅଧିକ ବଢ଼େଇବ ବୋଲି ସୂଚନା ମିଳିଛି। ଏହାପରେ ଲୋକମାନେ ଅଧିକ ଟଙ୍କା ଦେଇ ଜିଓର ମାଗଣା କଲ୍ ଓ ଇଣ୍ଟରନେଟ୍ ବ୍ୟବହାର କରିବେ।

ଟେଲିକମ୍ ଜଗତରେ ଲାଗିରହିଥିବା ଅର୍ଥନୈତିକ ଅସ୍ଥିରତା ପାଇଁ ଜିଓ ଏଭଳି ନିଷ୍ପତ୍ତି ନେଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଡିସେମ୍ବର ୩ ତାରିଖରୁ ଏୟାରଟେଲ୍ ଓ ଆଇଡିଆ ମଧ୍ୟ ନିଜର ଟାରିଫ୍ ପ୍ଲାନ ମୂଲ୍ୟକୁ ୪୦ ପ୍ରତିଶତ ବୃଦ୍ଧି କରିବେ ବୋଲି ଘୋଷଣା କରିସାରିଛନ୍ତି।

Comment