ଓଡ଼ିଶାଲାଇଭ୍ ବ୍ୟୁରୋ

 ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏବେ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଓ ଆଇନ୍ କାନୁନକୁ ଆହୁରି କଠିନ କରିବାକୁ ଦାବି

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା। ସହରଠୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି। ଦେଶରେ ଥିବା ଆଇନକାନୁନ କୁ ଆହୁରି କଠିନ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।

ଲୋକପ୍ରତିନିଧିମାନେ ମଧ୍ୟ ଏହି କଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବୁଧବାର ଏନେଇ କେନ୍ଦ୍ରମନ୍ତ୍ରୀ ହରସିମରତ କୌର କହିଛନ୍ତି, “ମହିଳା ଓ ଦେଶର ଝିଅମାନଙ୍କୁ ସୁରକ୍ଷା ଦେବାକୁ ଆମେ ଫେଲ୍। ଏପରିକି ବସ୍‌ମାନଙ୍କରେ ଝିଅମାନଙ୍କୁ ଅସଦାଚରଣ କରାଯାଉଛି। ନିର୍ଭୟା ଗଣଦୁଷ୍କର୍ମ ପରେ ବି ଦେଶର ଆଇନକାନୁନ୍ କଠୋର ହୋଇଥିଲା। ଏହାପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନାହିଁ।”

“ଦେଶରେ ଦୁଷ୍କର୍ମ ମାମଲାଗୁଡ଼ିକ ଦୀର୍ଘ ଦିନ ଧରି ପଡ଼ିରହିବା ଦ୍ୱାରା ପୀଡ଼ିତାମାନଙ୍କୁ ଉଚିତ୍ ନ୍ୟାୟ ମିଳୁନି। ଯେପର୍ଯ୍ୟନ୍ତ ଦେଶରେ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଇନି, ସେପର୍ଯ୍ୟନ୍ତ ଦେଶରେ ଏଭଳି ଘଟଣା ଘଟିଚାଲିଥିବ”, କହିଛନ୍ତି ରାଜ୍ୟସଭା ସାଂସଦ ବିପ୍ଲବ ଠାକୁର।

ଅନ୍ୟପଟେ ଦିଲ୍ଲୀ ମହିଳା କମିସନର ଅଧ୍ୟକ୍ଷ ସ୍ୱାତୀ ମାଲିବାଲ କହିଛନ୍ତି, “ଦେଶରେ ନାରୀମାନେ ଏବେ ପୂରାପୂରି ଅସୁରକ୍ଷିତ। ଦିଲ୍ଲୀରେ ମଧ୍ୟ ସ୍ଥିତି ବେଶ୍ ଖରାପ। ତେଣୁ ମୋଦୀ ସରକାର ତୁରନ୍ତ ଦିଲ୍ଲୀରେ ୬୬ହଜାର ପୋଲିସ୍ କର୍ମୀ ଓ ୪୫ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରନ୍ତୁ।”

ଏହାସହ ସ୍ୱାତୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏପରି କୌଣସି ଦିନ ନାହିଁ ଯେଉଁଦିନ କେଉଁ ନାରୀ ଦୁଷ୍କର୍ମର ଶିକାର ହେଉନାହାନ୍ତି। ଏଥିପାଇଁ ତୁରନ୍ତ ସରକାର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

‘‘ଦୁଷ୍କର୍ମ ମାମଲା ଓ ହତ୍ୟାରେ ଯେଉଁମାନେ ଶିକାର ହେଇଥାନ୍ତି, ତା’ର କଷ୍ଟ କେବଳ ସେହିମାନେ ହି ଜାଣିଥାନ୍ତି। ମହିଳା ସଶକ୍ତୀକରଣକୁ ନେଇ ସରକାର ଯେତେ ବି କାମ କଲେ ତା’ର କୌଣସି ସୁଫଳ ମିଳିପାରୁନାହିଁ। କହିବାକୁ ଗଲେ ଅପରାଧୀଙ୍କ ଭିତରେ ଆଇନ କାନୁନକୁ ନେଇ ଭୟ ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ସରୋଜ ପାଣ୍ଡେ।

ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଓ ହେମାମାଳିନୀ ତେଲେଙ୍ଗାନା ଗଣଦୁଷ୍କର୍ମକୁ ନେଇ ରବିବାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୟା ବଚ୍ଚନ ତେଲେଙ୍ଗାନା ଗଣଦୁଷ୍କର୍ମକାରୀଙ୍କୁ ଜନସାଧାରଣଙ୍କ ହାତରେ ଛାଡ଼ିଦେବାକୁ ସେ କହିଥିଲେ। ଲୋକମାନେ ହିଁ  ତାଙ୍କୁ ଉଚିତ ଶାସ୍ତି ଦେଇପାରିବେ ବୋଲି ଜୟା ବଚ୍ଚନ କହିଥିଲେ।

Comment