ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଢାଞ୍ଚା। ଏନେଇ ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି। ଆସନ୍ତା ୨୦୨୦ ବାର୍ଷିକ ପରୀକ୍ଷାରେ ଏହି ନୂଆ ଢାଞ୍ଚାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, “୨୦୧୯-୨୦ ଶିକ୍ଷାବର୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଢାଞ୍ଚା ବଦଳିବ। ପ୍ରଶ୍ନପତ୍ରରେ ୧ ମାର୍କ ବିଶିଷ୍ଟ ୨୫ ପ୍ରତିଶତ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପ୍ରଶ୍ନ ରହିବ। ସେହିପରି ୨୦ ପ୍ରତିଶତ ପ୍ରଶ୍ନରେ ୪ଟି ବିକଳ୍ପ ଦିଆଯିବ। ସେହିପରି ୧୦ ପ୍ରତିଶତ ସବ୍‌ଜେକ୍ଟିଭ ବା ରଚନାତ୍ମକ ପ୍ରଶ୍ନ ରହିବ।”

ସେହିପରି ପ୍ରାକ୍ଟିକଲ ନଥିବା ବିଷୟଗୁଡ଼ିକରେ ଏଣିକି ଇଣ୍ଟର୍ଣ୍ଣାଲ ଆସେସମେଣ୍ଟ ନିଆଯିବ। ଏହି ଇଣ୍ଟର୍ଣ୍ଣାଲ ଆସେସମେଣ୍ଟ ପ୍ରଶ୍ନପତ୍ରର ୨୦ ପ୍ରତିଶତ ମାର୍କ ରହିବ। ଏହି ନୂତନ ଢାଞ୍ଚାର ପ୍ରଶ୍ନପତ୍ର ଫଳରେ ଛାତ୍ରଛାତ୍ରୀଙ୍କ ବିଷ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ। ଫଳରେ ପିଲାମାନେ ପାଠ ଘୋଷିବା ପରିବର୍ତ୍ତେ ପ୍ରଶ୍ନକୁ ବୁଝି ଉତ୍ତର ଦେଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି।

ନିକଟରେ ସିବିଏସ୍‌ଇ ଚଳିତ ଶିକ୍ଷାବର୍ଷର ପରୀକ୍ଷା ପାଇଁ ସର୍କୁଲାର ଜାରି କରିଥିଲା। ଏହି ନିୟମ ଅନୁଯାୟୀ, ଦଶମ ଶ୍ରେଣୀରେ ପାସ୍‌ ହେବା ପାଇଁ ପ୍ରତି ବିଷୟରେ ଉଭୟ ପ୍ରକ୍ଟିକାଲ୍‌ ଏବଂ ଥିଓରୀ ପେପର ମାର୍କ ମିଶାଇ ୩୩ ପ୍ରତିଶତ ରଖିବାକୁ ପଡ଼ିବ।

ସେହିପରି ଦ୍ୱାଦଶ ଶ୍ରେଣୀରେ ପାସ୍‌ ହେବା ପାଇଁ ପ୍ରକ୍ଟିକାଲ୍‌, ଥିଓରୀ ଏବଂ ଇଣ୍ଟର୍ଣ୍ଣାଲ ଆସେସ୍‌ମେଣ୍ଟରେ ପ୍ରତ୍ୟେକ ୩୩ ମାର୍କ ଆଣିବାକୁ ହେବ। ୭୦ ଫୁଲ୍‌ ମାର୍କ ଥିବା ବିଷୟରେ ୨୩ ଏବଂ ୮୦ ଫୁଲ୍‌ ମାର୍କ ଥିବା ବିଷୟରେ ୨୬ ହେଉଛି ପାସ୍‌ ମାର୍କ।

Comment