ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଏସ୍‌ପିଜି ସଂଶୋଧନ ବିଲ୍‌। ବିଲ୍‌ରେ ଏହି ବ୍ୟବସ୍ଥା ରହିଛି କି, କେବଳ ପ୍ରଧାନମନ୍ତୀ ଏବଂ ତାଙ୍କ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟମାନଙ୍କୁ ଏସ୍‌ପିଜି ସୁରକ୍ଷା ମିଳିବ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପର୍ଯ୍ୟନ୍ତ ସେ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟଙ୍କୁ ଏହି ସୁରକ୍ଷା ମିଳିବ।

ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ ଜି କିଣନ ରେଡ୍ଡି ଏସ୍‌ପିଜି ସଂଶୋଧନ ବିଲ୍‌ ରାଜ୍ୟସଭାରେ ଉପସ୍ଥାପନା କରିଥିଲେ। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ ଉପସ୍ଥିତ ଥିଲେ।

ଏସ୍‌ପିଜି ସଂଶୋଧନ ବିଲ୍‌କୁ ନେଇ ସଂସଦରେ ଚର୍ଚ୍ଚା ଚାଲୁଥିବା ବେଳେ କଂଗ୍ରେସ ସାଂସଦମାନେ ଏହାକୁ ବିରୋଧ କରିଥିଲେ। ଗାନ୍ଧୀ ପରିବାରଠାରୁ ଏସ୍‌ପିଜି ସୁରକ୍ଷା ହଟାଇବା ପାଇଁ ସରକାର ଏଭଳି ବ୍ୟବସ୍ଥା ଆପଣାଉଥିବା କଂଗ୍ରେସ ସାଂସଦ ବିବେକ ତନ୍‌ଖା କହିଥିଲେ। ତେବେ ଗାନ୍ଧୀ ପରିବାର କିମ୍ବା କୌଣସି ବ୍ୟକ୍ତିକୁ ଆଖି ଆଗରେ ରଖି ଏସ୍‌ପିଜି ବିଲରେ ସଂଶୋଧନ ଅଣାଯାଇନି ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହ।

ନଭେମ୍ବର ୨୭ରେ ଲୋକସଭାରେ ଏସ୍‌ପିଜି ସୁରକ୍ଷା ସଂଶୋଧନ ବିଲ୍ ପାସ୍ ହୋଇସାରିବା ପରେ ମଙ୍ଗଳବାର ଏହା ରାଜ୍ୟସଭାର ମଧ୍ୟ ଅନୁମୋଦନ ଲାଭ କରିଛି। ସଦନର ଦୁଇ ଗୃହରେ ବିଲ୍‌ ପାସ୍‌ ହେବା ପରେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱୀକୃତିର ଅପେକ୍ଷା। ବିଲ୍‌ରେ ରାଷ୍ଟ୍ରପତିଙ୍କ ମୋହର ବାଜିଲେ ଏହା ଆଇନ୍‌ରେ ପରିଣତ ହେବ।

Comment