ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତୀୟ ନୌସେନା ଦିବସ। ପ୍ରତ୍ୟେକ ବର୍ଷ ଡିସେମ୍ଵର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ଏହି ଦିନ ନୌସେନାର ବୀର ଯବାନମାନଙ୍କୁ ମନେ ପକାଯାଏ। ତେବେ ଆଜି ନୌସେନା ଦିବସ ପାଳନ ପାଇଁ ସାରା ଦେଶ ସମେତ ନୌବାହିନୀ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।

କାହିଁକି ଡିସେମ୍ଵର ୪ରେ ପାଳନ କରାଯାଏ ନୌସେନା ଦିବସ

୧୯୭୧ ମସିହାରେ ଡିସେମ୍ଵର ୩ ତାରିଖରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଏହି ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଅଦମ୍ୟ ସାହସ ଦେଖାଇଥିଲେ। ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ। କରାଚୀରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ଡିସେମ୍ଵର ୪ରେ କରାଚୀ ଉପକୂଳରେ ଥିବା ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିଥିଲା ଭାରତୀୟ ଯୁଦ୍ଧ ଜାହାଜ। ଏଥିରେ ପାକିସ୍ତାନର ଅନେକ ଜାହାଜ ଧ୍ଵଂସ ହୋଇ ଯାଇଥିଲା। କରାଚୀ ତେଲ ଡିପୋ ୭ଦିନ ଧରି ଜଳିଥିଲା। ଭାରତୀୟ ନୌସେନାଙ୍କ ଏହି ସାହସକୁ ମନେ ପକାଇବାକୁ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଏ।

ଭାରତୀୟ ନୌସେନାର ଇତିହାସ

ଭାରତୀୟ ନୌସେନା ଭାରତୀୟ ସେନାର ସାମୁଦ୍ରିକ ଅଙ୍ଗ ଭାବେ ପରିଚିତ। ଏହାର ସ୍ଥାପନ ୧୬୧୨ ମସିହାରେ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ଜାହାଜକୁ ସୁରକ୍ଷାରେ ରଖିବାକୁ ଇଷ୍ଟ ଇଣ୍ଡିଆ ମାରାଇନ୍‌ ନାମରେ ସେନା ଗଠନ କରିଥିଲା। ଯାହାକୁ ପରେ ରୟାଲ ଇଣ୍ଡିଆନ୍‌ ନୌସେନା ନାଁ ଦିଆଗଲା। ପରେ ଦେଶ ସ୍ଵାଧୀନ ହେବା ପରେ ୧୯୫୦ ମସିହାରେ ଏହା ପୁଣି ଗଠନ କରାଗଲା। ଯାହାର ନାଁ ଦିଆଗଲା ଭାରତୀୟ ନୌସେନା।

Comment