ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ମିସନ୍‌ ସୁବିଦ୍ୟା। ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ମିସନ୍‌ ସୁବିଦ୍ୟା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସରେ ଭଲ ଘର, ଭଲ ଶୌଚାଳୟ, ଶୁଦ୍ଧ ପାଣି, ଭଲ ରୋଷେଇ ଘର ପରି ମୌଳିକ ସୁବିଧାର ମାନ ନିଶ୍ଚିତ କରାଯିବ।

ଏଥିପାଇଁ ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ କ୍ଵାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ, ଅକ୍ଷର ଫାଉଣ୍ଡେସନ୍‌ ଓ ଟ୍ରାଇଫେଡ୍‌ ସହ ତିନୋଟି ବୁଝାବଣା ପତ୍ର ସ୍ଵାକ୍ଷର କରାଯାଇଛି।

କ୍ଵାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ଏସ୍‌ସି ଓ ଏସ୍‌ଟି ହଷ୍ଟେଲ୍‌ରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଆକଳନ କରାଯିବ। ହଷ୍ଟେଲଗୁଡ଼ିକ ଯେପରି ଆଇଏସ୍‌ଓ ସାର୍ଟିଫିକେଟ୍‌ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ସଂସ୍ଥା ପରୀକ୍ଷା କରିବ।

କ୍ଲାସ୍‌ରୁମ୍‌ ପାଠପଢ଼ା, ସ୍କୁଲ ହଷ୍ଟେଲ୍‌ରେ ଲାଇବ୍ରେରି ସୁବିଧା ଆଦି ଦିଗ ପ୍ରତି ଫାଉଣ୍ଡେସନ୍‌ ଧ୍ୟାନ ଦେବ। ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।
ବୁଝାବଣାପତ୍ର ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘‘ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ୬୫୦୦ ହଷ୍ଟେଲରେ ୫.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ମିସନ୍‌ ସୁବିଦ୍ୟା ଏହି ହଷ୍ଟେଲଗୁଡ଼ିକରେ ଅନ୍ତେବାସୀମାନଙ୍କୁ ଅନୁକୂଳ ପରିବେଷ ଯୋଗାଇଦେବ।’’

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିସନ୍‌ ସୁବିଦ୍ୟାର ଲୋଗୋ ଉନ୍ମୋଚନ କରିଥିଲେ।

Comment