ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଦୁଷ୍କର୍ମକାରୀଙ୍କୁ ସାବାଡ କର। କୋର୍ଟରେ ବିଚାର ବ୍ୟବସ୍ଥାରେ ଯାହା ହେବା କଥା ହେବ, ହେଲେ ଏଭଳି ଅପରାଧ ଘଟାଉଥିବା ଅପରାଧୀଙ୍କୁ ମା’ ଭଉଣୀମାନେ ପେଟେଣ୍ଟ ମେଡିସିନ ଦେଇ ସାବାଡ କରିବା ଦରକାର’’, ଆଜି ଏଭଳି ଆହ୍ୱାନ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା।
ଭୁବନେଶ୍ୱର ଖଣ୍ଡିଗିରି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖି ମିନତି ବେହେରା ଏଭଳି କହିଛନ୍ତି।
ଦୁଷ୍କର୍ମ ମାମଲାର ଫାଷ୍ଟଟ୍ରାକ କୋର୍ଟରେ ସ୍ପିଡଟ୍ରାଏଲରେ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯିବା ଦରକାର ବୋଲି ସେ କହିଛନ୍ତି।
ଖଣ୍ଡଗିରି ଦୁଷ୍କର୍ମ ଘଟଣାରେ ମହିଳା କମିଶନ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଆଜି ଖଣ୍ଡଗିରି ଥାନାରେ ମାମଲା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଘଟଣାସ୍ଥଳକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହାପରେ ମିନତି ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି।
ସେପଟେ ଅଭିଯୁକ୍ତକୁ ପୋଲିସ ଗିରଫ କରି ତା’ର ମେଡିକାଲ ଟେଷ୍ଟ କରିଛି। ବୁଧବାର ଏହି ଦୁଷ୍କର୍ମ ଅଭିଯୋଗ ଆସିଥିଲା। ପୀଡ଼ିତା ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।