ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣୁଛନ୍ତି। ନୂଆ ଆଇନରେ ଏଣିକି ଲୋକମାନେ ବାପା ମା’ଙ୍କ ସହ ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ଦେଖାଶୁଣା କରିବାକୁ ପଡ଼ିବ।

ମୋଦୀଙ୍କ କ୍ୟାବିନେଟ୍ ବୁଧବାର ପିତାମାତା ଏବଂ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ କଲ୍ୟାଣ ବିଲକୁ ମଞ୍ଜୁର କରିଦେଇଛନ୍ତି। ଏହାପରେ ଏହି ବିଲକୁ ସଂସଦରେ ଉପସ୍ଥାପିତ କରାଯିବ। ଏହି ବିଲ୍ ଅନୁସାରେ, ବୃଦ୍ଧ ପିତାମାତାଙ୍କ ଦେଖାଶୁଣା ଦାୟିତ୍ୱ କେବଳ ତାଙ୍କ ପୁଅ ଝିଅ କରିବେନାହିଁ। ପୁଅ ଝିଅଙ୍କ ସହ ଏଣିକି ନାତି ନାତୁଣୀ, ଝିଅ ଜ୍ୱାଇଁ ମଧ୍ୟ ସେମାନଙ୍କର ଦେଖାଶୁଣା କରିବେ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର୍ ଏହି ବିଲ୍ ନେଇ କହିଛନ୍ତି ଯେ, ଏହି ବିଲ୍ ଦେଶର ବରିଷ୍ଠ ନାଗରିକମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ। ଏହାସହ ଏହି ବିଲରେ ବରିଷ୍ଠ ନାଗରିକଙ୍କ ପାଇଁ କେୟାର ହୋମର ତିଆରି କରାଯାଇ ସେମାନଙ୍କ ନାଁ ରେଜିଷ୍ଟ୍ରେସନର ବ୍ୟବସ୍ଥା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ନିଜର ଚେଷ୍ଟା ଆରମ୍ଭ କରିଛନ୍ତି ବୋଲି ଜାଭେଦକର୍ କହିଛନ୍ତି।

ଏହି ଆଇନକୁ ଉଲଘଂନ କଲେ, ଛଅମାସ ପାଇଁ ଜେଲ୍ ଦଣ୍ଡାଦେଶ କରାଯିବ ବୋଲି ମଧ୍ୟ ନିୟମ ରଖାଯିବ। ସେହିଭଳି ଏହି ସଂକ୍ରାନ୍ତରେ କୌଣସି ଅଭିଯୋଗ ଆସିଲେ ୯୦ଦିନ ଭିତରେ ଏହାର ବିଚାର କରାଯିବ। ଯଦି ପିତାମାତାଙ୍କ ବୟସ ୮୦ବର୍ଷରୁ ଅଧିକ ହୋଇଥାଏ ତେବେ ଏହାର ବିଚାର ୬୦ ଦିନ ଭିତରେ କରାଯିବା ବୋଲି ନୂଆ ଆଇନରେ ନିୟମ ରହିଛି।

Comment